୩ୟ ପର୍ଯ୍ୟାୟରେ ପୁରୀ ଜିଲ୍ଲାର ୫୩ଟି ବିଦ୍ୟାଳୟ ରୂପାନ୍ତରଣ

ଶବ୍ଦ ଓଡିଶା ବ୍ୟୁରୋ: ତୃତୀୟ ପର୍ଯ୍ୟାୟରେ ପୁରୀ ଜିଲ୍ଲାର ୫୩ଟି ବିଦ୍ୟାଳୟ ୫ଟି ଆଧାରରେ ରୂପାନ୍ତରଣ କରାଯାଇଛି। ଗତକାଲି ଅପରାହ୍ନରେ ଗଙ୍ଗାଧର ହାଇସ୍କୁଲ ପରିସରରେ ୫ଟିରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଥିଲେ। ଶିକ୍ଷା ପ୍ରଗତି ଓ ବିକାଶର ମୁଖ୍ୟ ଆଧାର ବୋଲି କହିବା ସହ ଉନ୍ନତମାନର ପରିବେଶ ପିଲା ମାନଙ୍କୁ ଭଲ ପଢିବା ପାଇଁ ପ୍ରେରଣା ଦେବ ବୋଲି ସେ କହିଥିଲେ।ପିଲାମାନେ ପଢି,ବଢି,ଶ୍ରେଷ୍ଠ ହୋଇ ଓଡ଼ିଶାର ନାମ ଉଜ୍ଜ୍ୱଳ କରିବାକୁ ସେ ପରାମର୍ଶ ଦେଇଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବର୍ତ୍ତମାନ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ କରି ସରକାର ଆଗାମୀ ପୀଢି ପାଇଁ ପ୍ରେରଣା ସୃଷ୍ଟି କରୁଛନ୍ତି ବୋଲି କହିଥିଲେ। ସମଗ୍ର ରାଜ୍ୟରେ ୩ୟ ପର୍ଯ୍ୟାୟ ସୁଦ୍ଧା ୩୪୧୧ କୋଟି ଟଙ୍କା ବ୍ୟୟରେ ୬୮୭୨ ବିଦ୍ୟାଳୟର ରୂପାନ୍ତରଣ ହୋଇଛି । ୨୦୩୬ ମସିହା ଓଡିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତର ଲକ୍ଷ୍ୟ ରଖାଯାଇଛି ।

ସେହିପରି ୧୦୩ କୋଟି ଟଙ୍କା ବ୍ୟୟରେ ଏସଏଚଜିର ୧୦୪୧୨ ଜଣଙ୍କୁ ବିଭିନ୍ନ ବିଦ୍ୟାଳୟର ପିଅନ ଓ ଜଗୁଆଳ ଭାବେ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିବା ସହ ରୂପାନ୍ତରଣ ପରେ ପିଲା ମାନଙ୍କୁ ବିଦ୍ୟାଳୟ ଆକୃଷ୍ଟ କରୁଛି ବୋଲି କହିଥିଲେ । ୫ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲ୍ଲିକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତଙ୍କୁ ସ୍ୱାଗତ ସହ ପୁରୀ ଜିଲ୍ଲାର ବିଦ୍ୟାଳୟ ରୂପାନ୍ତରଣ ସମ୍ପର୍କରେ ସୂଚନା ଦେଇ ୩୩୮ ବିଦ୍ୟାଳୟ ମଧ୍ୟରୁ ୩ ଟି ପର୍ଯ୍ୟାୟରେ ୧୯୬ ଟି ସାମିଲ ହୋଇଥିବା ବେଳେ ଅବଶିଷ୍ଟ ୧୪୨ ଟି ୪ର୍ଥ ପର୍ଯ୍ୟାୟରେ କରାଯିବାର କାର୍ଯ୍ୟକ୍ରମ ଅଛି ବୋଲି କହିଥିଲେ।
ଗଙ୍ଗାଧର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂଜାରାଣୀ ନାୟକ ମୁଖ୍ୟମନ୍ତ୍ରୀ ଙ୍କ ସହ ବାର୍ତ୍ତାଳାପ କରି ବିଦ୍ୟାଳୟ ରୂପାନ୍ତରିତ ହେବା ପରେ ଛାତ୍ରଛାତ୍ରୀମାନେ ଗର୍ବ ଅନୁଭବ କରିବା ସହ ପାଉଥିବା ସୁବିଧା ସମ୍ପର୍କରେ ମତ ଦେଇ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ବିଶ୍ୱଜିତ ଘୋଷ, ସମସ୍ତ ବ୍ଲକର ବିଡ଼ିଓ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

You May Also Like

More From Author

+ There are no comments

Add yours