Wed. Oct 14th, 2026

ଚନ୍ଦନଯାତ୍ରା ହେଉଛି ଶ୍ରୀମନ୍ଦିରରେ ସବୁଠାରୁ ଅଧିକ ଦିନ ଧରି ପାଳିତ ହେଉଥିବା ପର୍ବ। ପ୍ରଭୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରୁ ମୁକ୍ତି ପାଇବା ପାଇଁ ଏହି ଯାତ୍ରା କରିଥାନ୍ତି, ଯାହା ମୋଟ ୪୨ ଦିନ ଧରି ପାଳିତ ହୋଇଥାଏ। ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ, ପ୍ରଥମ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ ଦିନ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ରୂପେ ପାଳିତ ହୋଇଥାଏ।

ଦକ୍ଷିଣଘରୁ (ଅଣସର ଘରର ଦକ୍ଷିଣରେ ଥିବା ବେହରଣ ଦ୍ୱାର ମୁହଁରେ ଥିବା ଘର) ଅଷ୍ଟଧାତୁ ନିର୍ମିତ ତିନୋଟି ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ରାମ (ବଳରାମ) ଓ ରତ୍ନସିଂହାସନ ଉପରୁ ଦୁଇଟି ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କର ସୁବର୍ଣ୍ଣ ପ୍ରତିମା ଓ ସରସ୍ୱତୀଙ୍କର ରୌପ୍ୟ ପ୍ରତିମା ବାହାର ଚନ୍ଦନରେ ଭାଗ ନିଅନ୍ତି ।

ଚନ୍ଦନ ଯାତ୍ରା ପଟୁଆରରେ ସମୁଦାୟ ଦଶଗୋଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କିରେ ବିଜେ କରିଥାନ୍ତି । ସବୁଠୁ ସୁଦୃଶ୍ୟ ବିମାନରେ ବିଜେ କରିଥାନ୍ତି ମଦନମୋହନ, ଶ୍ରୀଦେବୀ (ବା ଲକ୍ଷ୍ମୀ) ଓ ଭୂଦେବୀ (ବା ସରସ୍ୱତୀ, ବିଶ୍ୱଧାତ୍ରୀ)। ବିମାନ ପଛ ପାଲିଙ୍କିଟିରେ ବଳରାମ ଓ କୃଷ୍ଣ ଆରୋହଣ କରିଥାନ୍ତି ପୁଣି ଅନ୍ୟ ପାଞ୍ଚଗୋଟି ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ ମହାଦେବ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଓ ଶ୍ରୀକପାଳମୋଚନ ବିଜେ କରିଥାନ୍ତି।

ନରେନ୍ଦ୍ର ପୁଷ୍କରିଣୀ କୁଳରେ ଏକ ଛାମୁଣ୍ଡିଆ ତିଆରି ହୋଇଥାଏ । ସେହି ଛାମୁଣ୍ଡିଆ ତଳେ ଦଶଟି ଯାକ ଚଳନ୍ତି ପ୍ରତିମାଙ୍କୁ ଅବସ୍ଥାପିତ କରାଯାଇ ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପଦଧୌତ କରାଯାଏ ।

ଯୋଡ଼ିଏ ଲେଖାଁଏ ନୌକା ଯୁକ୍ତ ହୋଇ ଦୁଇ ଗୋଟି ଚାପ ପ୍ରସ୍ତୁତ ହୋଇ ଥାଏ । ଚାପ ଗୁଡ଼ିକୁ ଜରିକାମ ହୋଇଥିବା ମଣ୍ଡଣିଦ୍ୱାରା ସୁଶୋଭିତ କରାଯାଇଥାଏ । ଗୋଟିଏ ଚାପରେ ଥିବା ରୁପା କାରୁକାର୍ଯ୍ୟ ସମ୍ପନ୍ନ ସିଂହାସନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ବଳରାମ ଓ କୃଷ୍ଣ ଉପବେଶନ କରନ୍ତି । ଅନ୍ୟ ଚାପଟିରେ ବସନ୍ତି ପଞ୍ଚୁପାଣ୍ଡବ ରୂପେ ପରିଚିତ ମହାଦେବମାନେ । ପ୍ରତିମାମାନଙ୍କ ସହ ଚାପଦ୍ୱୟରେ ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ, ଖୁଣ୍ଟିଆ ପ୍ରଭୃତି ସେବକ ରହିଥାଆନ୍ତି । ଚାପ ଦ୍ୱୟ ନରେନ୍ଦ୍ର ଜଳରେ ଘେରାଏ ଘେରାଏ ବୁଲି ଆସନ୍ତି ।

ସ୍ନାନରୀତି ନିମନ୍ତେ ତିନିଗୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତ କରାଯାଏ। ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମାମାନେ । ପାଣିରେ ଅବଗାହନ ପରେ ବେଶ କରାଯାଏ ମଦନମୋହନଙ୍କୁ । ଚନ୍ଦନ ଯାତ୍ରାର ଏକୋଇଶ ଦିନରୁ କୋଡ଼ିଏ ଦିନ ମଦନମୋହନ ପ୍ରତ୍ୟେକ ଦିନ ନୂଆ ବେଶ ଧାରଣ କରନ୍ତି । ଏହାର ଅନେକଗୁଡ଼ିଏ ବେଶ କୃଷ୍ଣଲୀଳାର ସ୍ମୃତିଚାରଣ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥାଏ ।ନୃସିଂହ ଜନ୍ମତିଥିରେ ମଦନମୋହନ କୌଣସି ପ୍ରକାର ବେଶ ହୁଅନ୍ତି ନାହିଁ । 

Leave a Reply

Your email address will not be published. Required fields are marked *