ପବିତ୍ର ଅକ୍ଷୟ ତୃତୀୟା: ଅଖିମୁଠି ଅନୁକୂଳ କରିବେ ଚାଷୀ, ଅନୁକୂଳ ହେବ ରଥକାଠ

ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଆଜିର ଏହି ପବିତ୍ର ମୁହୂର୍ତ୍ତର୍ରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ବିଶେଷକରି ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ପାଇଁ ଆସ୍ଥାର ପର୍ବ । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । ତେଣୁ ଏହାକୁ କୃଷିଭିତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ ।

କୃଷକମାନେ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ଏହାର ପାଳନ କରିଥାନ୍ତି । ଚାଷୀମାନେ କ୍ଷେତରେ ମୁଠାମୁଠା ବିହନ ବୁଣିଥାନ୍ତି, ଯାହାକୁ ଅଖିମୁଠି କହିଥାନ୍ତି । ଆଉ ଆଜିଠାରୁ ଚାଷ କାମ ଆରମ୍ଭ ହୋଇଥାଏ । ସବୁ କାମର ଅନୁକୂଳ ପାଇଁ ଏହି ଦିନଟି ବେଶ୍ ବଲ ଓ ଶୁଭ ହୋଇଥିବାରୁ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ଆଦି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ ।

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଅନୁକୂଳ ହେବ । ବିଧି ଅନୁସାରେ, ଶ୍ରୀନଅର ରଥଖଳାରେ ତିନୋଟି ଧଉରା କାଠକୁ ପୂର୍ବରୁ ଶାସ୍ତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜାର୍ଚ୍ଚନା କରିବେ । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୂଙ୍କର ରଥ ନିର୍ମାଣ ପାଇଁ ଆଜ୍ଞାମାନ ଏକ ବିରାଟ ପଟୁଆରରେ ବିଜେ କରିବ । ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ତିନୋଟି ଆଜ୍ଞାମାଳକୁ ଧଉରା କାଠ ଉପରେ ରଖିବେ । ସେପଟେ ଚନ୍ଦନ ଠାକୁରମାନେ ବାହାର ଚନ୍ଦନଯାତ୍ରା ପାଇଁ ବିମାନ ବିଜେ କରି ବଡ଼ଦାଣ୍ଡକୁ ଆସିବେ । ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୂଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ । ସେହିପରି ଆଜିଠାରୁ ରଥଖଳା ମଧ୍ୟ ସମ୍ପୂର୍ଣ୍ଣ ଚଳଚଂଚଳ ହୋଇ ଉଠିବ । ସେପଟେ ଶ୍ରୀଜିଉ ଆଜି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବାକୁ ଆସିବେ । ମଣିବିମାନରେ ଆସିବେ ମଦନମୋହନ, ଭୁଦେବା, ଶ୍ରୀଦେବୀ ଓ ପାଲିଙ୍କିରେ ରାମକୃଷ୍ଣଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେପଟେ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

You May Also Like

More From Author

+ There are no comments

Add yours