Thu. Oct 15th, 2026

ପଞ୍ଚଭୂତରେ ଲୀନ ହେଲା ବୀର ଯବାନ ଦେବାଶିଷଙ୍କ ପାର୍ଥିବ ଶରୀର । ଗାଁ ଶ୍ମଶାନରେ ହେଲା ଶେଷକୃତ୍ୟ ।  ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ରାଷ୍ଟ୍ରୀୟ ରାଇଫଲର  ଓଡ଼ିଆ ଯବାନ ଲାନ୍ସ ନାୟକ, ଦେବାଶିଷ ବିଶ୍ୱାଳଙ୍କ ଶେଷକୃତ୍ୟ ଆଜି ତାଙ୍କ ଜନ୍ମମାଟି ପୁରୀଜିଲ୍ଲା ସତ୍ୟବାଦୀ ବ୍ଲକ ଅଳଗୁମ ପଞ୍ଚାୟତର ଖଣ୍ଡାୟତ ସାହି ଗ୍ରମ ଶ୍ମଶାନରେ ସମ୍ପନ୍ନ ହୋଇଛି। ଅପରାହ୍ନ ଗାଁରେ ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ତାଙ୍କୁ ଶେଷ ଦର୍ଶନ କରିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ସହିଦଙ୍କ ପାର୍ଥିବ ଶରୀରକୁ ଗାଁକୁ ନିଆଯାଇଥିଲା। ଦେବାଶିଷ ଅମର “ରହେ, ବୀର ଯବାନ ଅମର ରହେ” ଧ୍ୱନୀରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ଜନ୍ମମାଟିରେ ତାଙ୍କୁ ତୋପ ସଲାମୀ ଦିଆଯିବା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୂର୍ବରୁ ଆଜି ସକାଳେ ସହିଦଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାପରେ ତାଙ୍କୁ ସେଠାରେ ଗାଡ଼ ଅଫ୍‌‌ ଅନର ପ୍ରଦାନ କରାଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତପାତ୍ରଙ୍କ ସମେତ ବହୁ ରାଜନେତା ଓ ବିଭିନ୍ନ ସେନାଧିକାରୀ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଏବଂ ଓଭର ବ୍ରିଜ ଉପରେ ହଜାର ହଜାର ଜନସାଧାରଣ ସହିଦ ଦେବାଶିଷ ଅମର ରହେ ସ୍ଲୋଗାନ ଦେବା ସହ  ଓ ସହିଦଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ସହିଦଙ୍କ ଜନ୍ମସ୍ଥାନ ଖଣ୍ଡାୟତ ସାହି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଜନ ସମୁଦ୍ର ସୃଷ୍ଟି ହୋଇଥିଲା। ହଜାର ହଜାର ଜନସାଧାରଣ ସହିଦ ଦେବାଶିଷ ବିଶ୍ୱାଳ ଅମର ରହେ, ଜୟ ଯବାନ, ଜୟ କିଷାନ ଓ ବନ୍ଦେ ମାତରଂ ସ୍ଲୋଗାନ ଦେଇ ସହିଦଙ୍କୁ ଫୁଲ ତୋଡ଼ା ଓ ପୁଷ୍ପ ମାଲ୍ୟ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସହିଦଙ୍କ ଶିକ୍ଷାନୁଷ୍ଠାନ ଗୁରୁକୁଳ ଆଥଲେଟିକସର ଶିକ୍ଷାନବିଶଙ୍କ ସମେତ ହଜାର ହଜାର ଜନସାଧାରଣ ଏକ ଶୋଭାଯାତ୍ରାରେ ସହିଦଙ୍କ ଗାଡିକୁ ପାଛୋଟି ନେଇଥିଲେ। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ, ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଜେପି ନେତା ଓମ ପ୍ରକାଶ ମିଶ୍ର, କୃଷ୍ଣଚନ୍ଦ୍ର ଜଗଦେବ, କାମାକ୍ଷା ପ୍ରଧାନ ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ବିଡ଼ିଓ ଲୋଚନ ଦାସ, ଏସଡ଼ିପିଓ ଦେବଦତ୍ତ ବରାଳ, ଆଇଆଇସି ବିଜୟ କେତନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସାକ୍ଷୀଗୋପାଳ ରାସ୍ତାରେ ସୁଦୃଶ୍ୟ ତୋରଣ ନିର୍ମାଣ ଓ ପାଇକ ଆଖଡ଼ା କ୍ରୀଡା ପ୍ରଦର୍ଶନ ହୋଇଥିଲା। ସଂକୀର୍ତ୍ତନ ପରିବେଷଣ ଓ ମହମବତୀ ଶୋଭାଯାତ୍ରା ହୋଇଥିଲା। ସମସ୍ତେ ଶୋକାକୂଳ ପରିବେଶରେ ସହିଦ ଦେବାଶିଷଙ୍କୁ ବିଦାୟ ଦେଇଛନ୍ତି।ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତସାହିରେ ଶୋକାକୂଳ ପରିବେଶ । ପ୍ରଶାସନ ପକ୍ଷରୁ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ସମ୍ପର୍ଣ୍ଣ ହେଲା ଶେଷକୃତ୍ୟ ତେବେ ବୀର ପୁଅର ଶେଷ ଦର୍ଶନ ପାଇଁ ସମଗ୍ର ଅଂଚଳ ଲୋକାରଣ୍ୟ ହୋଇପଡିଛି । ଭୁବନେଶ୍ୱରରୁ ସତ୍ୟବାଦୀ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଦେବାଶିଷଙ୍କ ଶେଷ ଦର୍ଶନ କରିବା ପାଇଁ ଆସିଥିଲେ । ଦେବାଶିଷ ଅମର ରହେ ନାରାରେ କମ୍ପି ଉଠିଥିଲା ସମଗ୍ର ଅଂଚଳ ।

Leave a Reply

Your email address will not be published. Required fields are marked *