ଶବ୍ଦ ଓଡିଶା ବ୍ୟୁରୋ: ବୌଦ୍ଧ ସ୍ଵତନ୍ତ୍ର ଉପ କାରାଗାରରୁ ଜଣେ କଏଦୀଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତ କଏଦୀଙ୍କ ନାଁ ରବୀନ୍ଦ୍ର ମେହେର। ତାଙ୍କ ଘର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜମଘାଟି ଗାଁରେ। ୨୦୧୫ରେ ସେ ତାଙ୍କ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ହତ୍ୟା କରି ଗିରଫ ହୋଇଥିଲେ। ୨୦୧୮ରେ ବୌଦ୍ଧ ଜିଲ୍ଲା କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।
ଗତକାଲି ରାତିରେ ଖାଇସାରିବା ପରେ ଶୌଚାଳୟକୁ ଯାଇଥିଲେ ରବୀନ୍ଦ୍ର। କିନ୍ତୁ ଆଉ ଫେରିନଥିଲେ। କିଛି ସମୟ ପରେ ଅନ୍ୟ କଏଦୀମାନେ ତାଙ୍କୁ ଶୌଚାଳୟରେ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଜେଲ୍ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ପରେ ରବୀନ୍ଦ୍ରଙ୍କ ପରିବାର ଲୋକ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହଟିକୁ ତଳକୁ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।
