ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଏବଂ ଶାସକ ଦଳ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନର ଗୃହମନ୍ତ୍ରୀ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି ଯେଉଁଥିରେ ଇମ୍ରାନ ଖାନ (ପୂର୍ବତନ ପ୍ରଧାନମନ୍ତ୍ରୀ) ଙ୍କ ସମର୍ଥକମାନେ ଆକ୍ରୋଶିତ ହୋଇଛନ୍ତି। ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ କହିଛନ୍ତି ଯେ ଇମ୍ରାନ ଖାନ ରାଜନୀତିକୁ ଏପରି ସ୍ତରକୁ ନେଇଛନ୍ତି ଯେଉଁଠାରେ ତାଙ୍କୁ ହତ୍ୟା କରାଯାଇପାରେ କିମ୍ବା ଆମକୁ ହତ୍ୟା କରିଦିଆଯାଇପାରେ ଅନ୍ୟପକ୍ଷରେ ପିଟିଆଇ ନେତା କହିଛନ୍ତି ଯେ ମିଳିତ ସରକାର ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ।ରବିବାର ଦିନ ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ପାକିସ୍ତାନର ଗୃହ ମନ୍ତ୍ରୀ ସାନୁଲ୍ଲା କହିଛନ୍ତି ଯେ, ଇମ୍ରାନ ଖାନ ବର୍ତ୍ତମାନ ଦେଶର ରାଜନୀତିକୁ ଏମିତି ଏକ ସ୍ଥରକୁ ନେଇଛନ୍ତି ଯେଉଁଠାରେ ଦୁଇଜଣଙ୍କ ମଧ୍ୟରୁ କେବଳ ଜଣେ ରହିପାରିବେ। ଇମ୍ରାନ ଖାନ କିମ୍ବା ଆମ ଭିତରୁ କାହାରିକୁ ହତ୍ୟା କରାଯାଇପାରେ। PML-Nର ସମ୍ପୂର୍ଣ୍ଣ ଅସ୍ତିତ୍ୱ ବିପଦରେ ଅଛି ଏବଂ ଆମେ ଏହାର ସମାଧାନ କରିବାକୁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ଅଛୁ। ଇମ୍ରାନ ଖାନ ରାଜନୀତିକୁ ଶତ୍ରୁତାରେ ପରିଣତ କରିଛନ୍ତି। ଇମ୍ରାନ ଖାନ ବର୍ତ୍ତମାନ ଆମର ଶତ୍ରୁ ଏବଂ ସେପରି ବ୍ୟବହାର କରାଯିବ।ମିଳିଥିବା ସୂଚନା ଅନୁସାରେ, ଗତ ବର୍ଷ ନଭେମ୍ବରରେ ପଞ୍ଜାବର ୱାଜିରାବାଦରେ ଏକ ରାଲିରେ ଇମ୍ରାନ ଖାନଙ୍କୁ ଗୁଳି କରାଯାଇଥିଲା। ତାଙ୍କ ହତ୍ୟା ଷଡଯନ୍ତ୍ର ପଛରେ ଇମ୍ରାନ ଖାନ ଗୃହମନ୍ତ୍ରୀ ରାଣା ସନାଉଲ୍ଲାଙ୍କ ନାମ ନେଇଥିଲେ। ବରିଷ୍ଠ ପାକିସ୍ତାନୀ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ନେତା ମରିୟମ ନୱାଜ ସରିଫ ପ୍ରଶ୍ନ କରିଛନ୍ତି ଯେ, ସମ୍ବିଧାନକୁ ରଦ୍ଦ କରିବାରେ ସମ୍ପୃକ୍ତ ଥିବା ସତ୍ତ୍ୱେ ପାକିସ୍ତାନ ତେହେରିକ-ଇ-ଇନସାଫ ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ କାହିଁକି ସୁପ୍ରିମକୋର୍ଟ ଦଣ୍ଡିତ କରୁନାହାଁନ୍ତି? ରବିବାର ଦିନ ଲାହୋରରେ ଦଳର ଓକିଲଙ୍କ ପକ୍ଷ ସହ କଥା ହେବାବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି।