ଆସନ୍ତାକାଲଠୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ,ଦଳରୁ ବାଦପଡିଲେ ତାରକା ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର

ଶବ୍ଦମିଡ଼ିଆ ବ୍ୟୁରୋ:ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ତିନି ମ୍ୟାଚ ବିଶିଷ୍ଠ ଦିନିକିଆ ସିରିଜ।କିନ୍ତୁ ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟ୍‌କା । ଦଳର ନିର୍ଭରଯୋଗ୍ୟ ବ୍ୟାଟର୍‌ ଶ୍ରେୟସ ଆୟର ଆହତ କାରଣରୁ ପୂରା ସିରିଜ୍‌ରୁ ବାଦ୍‌ ପଡିଛନ୍ତି ।

ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ଦଳର ଫିଲଡିଂ କୋଚ୍‌ ଟି. ଦିଲୀପ । ପିଠିର ତଳ ଭାଗରେ ଆଘାତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ବ୍ୟାଟିଂ କରିବାକୁ ମଧ୍ୟ ଆସିପାରି ନଥିଲେ ଶ୍ରେୟସ । ତେବେ ଆଘାତ ଜନୀତ ସମସ୍ୟା ଗୁରୁତର ଥିବାରୁ ଏବେ ସେ ଦିନିକିଆ ସିରିଜ୍‌ରୁ ମଧ୍ୟ ବାଦ୍‌ ପଡିଛନ୍ତି ।

ଭାରତୀୟ ଦଳର ଫିଲଡିଂ କୋଚ୍‌ ଟି. ଦିଲୀପ କହିଛନ୍ତି, ‘ଆହତ ସମସ୍ୟା ଯୋଗୁଁ ଶ୍ରେୟସ ଆୟର ଦିନିକିଆ ସିରିଜରୁ ବାଦ୍‌ ପଡିଛନ୍ତି ।ଖେଳରେ ଆହତ ସମସ୍ୟା ମଧ୍ୟ ଗୋଟିଏ ପାର୍ଟ । ଆମର ସର୍ବୋତ୍ତମ ଚିକିତ୍ସା ବ୍ୟବସ୍ଥା ରହିଛି । ସେଠାରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ନ୍ୟାସନାଲ୍‌ କ୍ରିକେଟ୍‌ ଏକାଡେମୀ ସହିତ ବିସିସିଆଇ ଲଗାତାର ଭାବେ କଥା ହେଉଛି’।

କେବଳ ଅଷ୍ଟ୍ରେଲିଆ ସିରିଜ୍‌ ନୁହେଁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣରୁ ମଧ୍ୟ ବାଦ୍‌ ପଡିପାରନ୍ତି ଶ୍ରେୟସ ଆୟର । ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ । ଅବଶ୍ୟ ଏ ନେଇ ବର୍ତ୍ତମାନ ଠାରୁ କହିବା ମୁସ୍କିଲ । କିନ୍ତୁ ଆୟରଙ୍କ ଆହତ ଜନୀତ ସମସ୍ୟା ଜଟିଳ ଥିବାରୁ ସୁସ୍ଥ ହେବା ପାଇଁ ସମୟ ଲାଗିବ । କୋଲକାତା ନାଇଟ୍‌ ରାଇଡର୍ସ ଅଧିନାୟକ ଥିବା ଶ୍ରେୟସ ଆୟର ଯଦି ଦଳରୁ ବାଦ୍‌ ପଡନ୍ତି ତେବେ ତାହା କେକେଆର୍‌ ପାଇଁ ଦୁଃସମ୍ବାଦ । ଆୟରଙ୍କ ସର୍ଜରୀ କରାଯିବାର ଆବଶ୍ୟକତା ଅଛି କି ନାହିଁ ତାହା ଖୁବଶୀଘ୍ର ସ୍ପଷ୍ଟ ହେବ ।ଏ ନେଇ ସୂଚନା ଦେଇଛି ବିସିସିଆଇ।

ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଲୋକେସ୍‌ ରାହୁଲ, ହାର୍ଦ୍ଧିକ ପାଣ୍ଡ୍ୟା, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ଜୟଦେବ ଉନାଦକତ ଓ ମହମ୍ମଦ ସିରାଜ

You May Also Like

More From Author

+ There are no comments

Add yours