ରଥଯାତ୍ରା ରଥକାଠ ସଂଗ୍ରହ ନେଇ ପ୍ରସ୍ତୁତି ବୈଠକ

ଶବ୍ଦ ଓଡିଶା ବ୍ୟୁରୋ: ଆଗାମୀ ରଥଯାତ୍ରା ପାଇଁ ରଥକାଠ ଯୋଗାଣ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ସର୍କିଟ ହାଉସରେ ଅନୁଷ୍ଠିତ ବୈଠକରେ ରଥନିର୍ମାଣ ପାଇ ବିସ୍ତୃତ ଆଲୋଚନା ହୋଇଛି । ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ ବିଭିନ୍ନ ପ୍ରକାରର କାଠର ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୧୧୮ ଖଣ୍ଡ ବଳକା ଥିବାରୁ ଅବଶିଷ୍ଟ ୭୪୭ ଖଣ୍ଡ କାଠର ଆବଶ୍ୟକତା ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି । ଏହି କାଠ ନୟାଗଡ,ବୌଦ୍ଧ, ଖୋର୍ଦ୍ଧା, ଘୁମୁସର, ରେଢାଖୋଲ ଇତ୍ୟାଦି ବନଖଣ୍ଡରୁ ଯୋଗାଣ ପାଇଁ ସଂପୃକ୍ତ ଡିଏଫଓମାନେ ସୂଚନା ଦେଇଛନ୍ତି।
ଅପରପକ୍ଷରେ ରଥ କାଠର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ବ୍ୟବସ୍ଥା ସହ ନିୟମିତ ଅନୁଧ୍ୟାନ କରାଯାଉଛି। ପ୍ରତ୍ୟେକ ଡିଏଫଓମାନେ ସେମାନଙ୍କ ଅଞ୍ଚଳକୁ ଅନୁଧ୍ୟାନ କରି ରଥକାଠ ସମ୍ପର୍କରେ ଏକ ଡାଟାବେଶ ପ୍ରସ୍ତୁତ କରିବାକୁ ଆୟୁକ୍ତ ପରାମର୍ଶ ଦେଇଥିଲେ। ଯେଉଁ ବ୍ୟକ୍ତି ବିଶେଷ ରଥ ନିର୍ମାଣ ପାଇଁ କାଠ ସ୍ୱଇଚ୍ଛାରେ ଦେଉଛନ୍ତି ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଡ଼ଃ ଦଳାଇ ମତ ଦେଇଥିଲେ।

ଏହି ବୈଠକରେ ଆରସିସିଏଫ ସଞିତ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା,ପୁରୀ ଡିଏଫଓ ଡି ରାମସିଂ,ଖୋର୍ଦ୍ଧା ଡିଏଫଓ ପୂର୍ଣ୍ଣିମା ପାଣ୍ଡିଆନ,ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ,ଭୁବନେଶ୍ୱର ଉତ୍ତର ଡିଏଫଓ ସୁଦର୍ଶନ ବେହେରା, ଭୁବନେଶ୍ୱର ଦକ୍ଷିଣ ଡିଏଫଓ ଦିଲ୍ଲୀପ କୁମାର ରାଉତ, ବୌଦ୍ଧ ଡିଏଫଓ ଦେବପ୍ରିୟ କାମ୍ପା,ଶ୍ରୀମନ୍ଦିର ପ୍ରଶାସକ ଉନ୍ନୟନ ଅଜୟ କୁମାର ଜେନା, ନିତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ସୁଦର୍ଶନ ମେକାପ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

You May Also Like

More From Author

+ There are no comments

Add yours