ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଳାସ୍ତରୀୟ ସାଂସ୍କୃତିକ ଉତ୍ସବ ଆୟୋଜିତ

ଶବ୍ଦମିଡ଼ିଆ ବ୍ୟୁରୋ:ରାୟଗଡା ଜିସିଡି ହାଇସ୍କୁଲ ପଡିଆ ଠାରେ ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଅନୁଷ୍ଠିତ ଜିଲ୍ଳାସ୍ତରୀୟ ସାଂସ୍କୃତିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟ ଉପଦେଷ୍ଠା ପ୍ରଦୀପ ମାଝି ଉପସ୍ଥିତ ଥିଲେ । ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ଜିଲ୍ଳାପାଳ ସ୍ୱଧାଦେବ ସିଂହ ସମେତ ଉପାଧ୍ୟକ୍ଷ ବନମାଳୀ କାଡ୍ରକା,ରାୟଗଡା ଉପଖଣ୍ଡ ସମନ୍ୱିତ ଆଦିବାସୀ ଉନ୍ନ୍‌ୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଦିଲ୍ଳୀପ କୁମାର ବେହେରା,ଗୁଣପୁର ଉପଖଣ୍ଡ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆଦିବାସୀ ବହୁଳ ରାୟଗଡା ଜିଲ୍ଳାରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ,ଲାଂଜିଆ ସଉରା ଏବଂ ପରଜା ଜନଜାତି ସଂପ୍ରଦାୟର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ କରିବା ସହ ଜନଜାତି ଛାତ୍ରଛାତ୍ରୀ ତଥା ପିଲାମାନଙ୍କ ପାଠପଢା ଏବଂ ଦକ୍ଷତା ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଆଦିବାସୀମାନଙ୍କ କଳା,ସଂସ୍କୃତି ଓ ପରମ୍ପରା ସହ କୈାଳିକ ବୃତ୍ତିକୁ ସଂରକ୍ଷିତ ରଖିବା ପାଇଁ ତଥା ଜନଜାତି ବର୍ଗକୁ ଶିକ୍ଷିତ କରାଇ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଖରେ ସରକାରଙ୍କ ଅନୁଦାନ ରାଶି ୨୬୭ କୋଟି ଟଙ୍କା ପ୍ରାପ୍ତ ହୋଇଥିବା ବେଳେ ଏହି ଅନୁଦାନ ଅର୍ଥରେ ଆଦିବାସୀ ସମାଜର ବିକାଶ କରାଯିବ ବୋଲି ଶ୍ରୀ ମାଝି ପ୍ରକାଶ କରିଥିଲେ । ସେହିପରି ରାୟଗଡା ଜିଲ୍ଳାରେ ଥିବା ଜନଜାତି ସମାଜକୁ ପ୍ରତି ବ୍ଳକ ସ୍ତରରେ ୧୦ଲକ୍ଷ ଟଙ୍କ ଲେଖାଁଏ ସମୁଦାୟ ଗୃହ ନିର୍ମାଣ ପାଇଁ ଏବଂ ୩୫ଲକ୍ଷ ଟଙ୍କାର ଗୋଟିଏ ଗୋଟିଏ ସମୁଦାୟ ମଣ୍ଡପ ନିର୍ମାଣ ପାଇଁ ଅନୁଦାନ ଦିଆଯିବ ଏବଂ ୧କୋଟି ଟଙ୍କା ବ୍ୟୟରେ ରାୟଗଡା ଠାରେ ଏକ ସମୁଦାୟ ଗୃହ ନିର୍ମାଣ କରାଯିବ । ଏଥିସହ ରାୟଗଡା ଠାରେ ୩ କୋଟି ଟଙ୍କା ବ୍ୟୟରେ ବିରାଟ ଆଦିବାସୀ ସଂଗ୍ରହାଳୟ,ନାଟ୍ୟ ମଣ୍ଡପ ନିର୍ମାଣ କରାଯିବ ବୋଲି ମଧ୍ୟ କହିଥିଲେ । ଅଧା ପାଠ ପଢିଥିବା ଜନଜାତି ଯୁବକଯୁବତୀଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ମାଗଣା ବ୍ୟବସ୍ଥା କରାଯିବ ଏବଂ ପ୍ରତି ଜିଲ୍ଳାରୁ ୧୦ରୁ ୧୫ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଦେଶରେ ପାଠ ପଢାଇବାର ସୁଯୋଗ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ସେହିପରି ପ୍ରତି ଜିଲ୍ଳାରୁ ୫ଜଣ ଲେଖାଁଏ ଯୁବକଯୁବତୀଙ୍କୁ ପାଇଲଟ୍ ଟ୍ରେନିଂ ଦେବାର ବ୍ୟବସ୍ଥା ପାଇଁ ପରିଷଦ ନିଷ୍ପତି ନେଇଥିବା ଶ୍ରୀ ମାଝି ପ୍ରକାଶ କରିଥିଲେ । କଲ୍ୟାଣସିଂହପୁର ବ୍ଳକରେ ଏକ ଶହୀଦ ସ୍ମୃତି ସ୍ଥଳ ନିର୍ମାଣ କରାଯିବ ବୋଲି କହିଥିଲେ ଶ୍ରୀ ମାଝି । ପରିଶେଷରେ ଜିଲ୍ଳାର ୬ଟି ସାଂସ୍କୃତିକ ଦଳ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟସଭ୍ୟାଙ୍କୁ ଉପଢୈାକନ ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସମାଜ ସେବା କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ କରିଥିବା ରାୟଗଡାର ମଦର ଟେରସା ନାମରେ ପରିଚିତ ହାଲୁଆ ଗ୍ରାମର ରୂପାଲି ଜାକକାଙ୍କୁ ମଧ୍ୟ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ରାୟଗଡ଼ାରୁ ଆଜିତେଶ ପଟ୍ଟନାୟକ,ଶବ୍ଦ ମିଡ଼ିଆ

You May Also Like

More From Author

+ There are no comments

Add yours