ଟୁଇଟ କରି ଧର୍ମେନ୍ଦ୍ରଙ୍କୁ ଦଳୀୟ ଶୃଙ୍ଖଳା ପାଠ ପଢ଼ାଇଲେ ବବି

ଶବ୍ଦମିଡ଼ିଆ ବ୍ୟୁରୋ:ନିକଟରେ ବିଜେପିର ବିଧାନସଭା ଘେରାଉ ସମୟରେ ପୋଲିସ ବିଜେପି କର୍ମୀ ଉଭୟଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଏବଂ ମୁହାଁ ମୁହିଁ ହୋଇଥିଲେ।ଏହା ମଧ୍ୟରେ ବିଜେଡି ଏବଂ ରାଜ୍ୟର ବିରୋଧି ଦଳ ବିଜେପି ଉଭୟ ଦଳ ପରସ୍ପରକୁ ସମାଲୋଚନା କରିସାରିଲେଣି।ଏହି ପ୍ରସଙ୍ଗକୁ ନେଇ ଏବେ ପୁଣି ମୁହଁ ଖୋଳଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।ବିଧାନସଭା ଘେରାଉ ସମୟରେ ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ପୋଲିସ ମାଡ଼ ମାରିବା ଓ ପରେ ଗିରଫ କରିବାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବ ଦାସ୍ ହତ୍ୟା ଘଟଣା, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ବିଜେପି କର୍ମୀଙ୍କ ଉପରେ ପୋଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନକୁ ଧର୍ମେନ୍ଦ୍ରଙ୍କ ସମାଲୋଚନା ପରେ ଏନେଇ ଜବାବ ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟୁଇଟ କରି ଜବାବ ରଖିଛନ୍ତି ପ୍ରଣବ । ହିଂସାକୁ ସମର୍ଥନ କରି ଓଡ଼ିଶାର ଯୁବକମାନଙ୍କୁ ଆପଣ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ବବି ।

ପ୍ରଣବ ଟ୍ୱିଟ କରି କହିଛନ୍ତି ଯେ, ଭାଇ, ଆପଣଙ୍କ ଦଳର ଯୁବମୋର୍ଚ୍ଚା ସଭାପତି ଈରାଣିଷ ଆଚାର୍ଯ୍ୟ ଜଣେ ହତ୍ୟା ଅଭିଯୁକ୍ତ । ଏବେ ସେ ଜାମିନରେ ଅଛନ୍ତି । ନିକଟରେ ରାଜଧାନୀରେ ବିକ୍ଷୋଭ ନାଁ ରେ ତାଙ୍କ ନେତୃତ୍ଵରେ ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ହେଲା ବୋଲି କହିଛନ୍ତି । ଏଥିସହ ପୋଲିସ ଓ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁର ଏକ ଭିଡିଓ ଜାରି କରିଛନ୍ତି ପ୍ରଣବ । ସେହି ଭିଡିଓ ଦେଖିବା ଲାଗି ଧର୍ମେନ୍ଦ୍ରଙ୍କୁ କହିଛନ୍ତି । ସେ ଆଗରୁ ମଧ୍ୟ ଏହା ତାଙ୍କୁ ଦେଇଥିଲେ ବୋଲି କହିଛନ୍ତି । ତେଣୁ ଆପଣ ନିଶ୍ଚୟ ତାହା ଦେଖିଥିବେ ବୋଲି ସେ କହିଛନ୍ତି । ଏଥିସହ ଏଭଳି ନେତାଙ୍କୁ ସମର୍ଥନ କରି ଆପଣ ଓଡ଼ିଶାର ଯୁବକମାନଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଣବ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣ ଯାହାଙ୍କୁ ବିରୋଧୀ ଦଳର ନେତା କରିଛନ୍ତି, ସେ ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ । ଜଘନ୍ୟ ହତ୍ୟା ମାମଲାରେ ସଂପୃକ୍ତ । ସ୍ଵାସ୍ଥ୍ୟ ଆଳରେ ଜାମିନରେ ଆସିଲା ପରେ ମଧ୍ୟ ସେ ଅପରାଧ ଘଟାଇ ଚାଲିଛନ୍ତି । ଓଡ଼ିଶା ରାଜନୀତି ପାଇଁ ଏହା ଶୁଭଙ୍କର ନୁହେଁ । ଓଡ଼ିଶାବାସୀ ଏସବୁ ଦେଖୁଛନ୍ତି । ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୩୦ ରୁ ୩୦ ଜିଲ୍ଲା ପରିଷଦରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ । ଆମେ ଭାବିଥିଲୁ, ଦଳର ଛବି ଖରାପ କରିଥିବାରୁ ଏହି ଦୁଇ ନେତାଙ୍କ ବିରୋଧରେ ଆପଣ କିଛି କାର୍ଯ୍ୟାନୁଷ୍ଠାନ ନେବେ । ମାତ୍ର ଆଜି ଓଲଟା ଦେଖିବାକୁ ମିଳିଲା । ଆପଣ ଓଡ଼ିଶାରେ ପହଞ୍ଚି ଏଭଳି ହିଂସା ପାଇଁ ସେମାନଙ୍କୁ ଉତ୍ସାହିତ କଲା ପରି କଥା କହୁଛନ୍ତି । ଆପଣଙ୍କୁ ମୋର ଅନୁରୋଧ, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଭଳି ଅପରାଧିକ ତତ୍ତ୍ଵକୁ ଆପଣ ନିୟନ୍ତ୍ରଣ କରନ୍ତୁ । ନ ହେଲେ ଭବିଷ୍ୟତରେ ଏହି ଦୁଇ ନେତା ଆପଣଙ୍କୁ ଏବଂ ଆପଣଙ୍କ ଦଳକୁ ଆହୁରି ଅଧିକ ବଦନାମ କରିବେ ଟୁଇଟ୍ କରି ବବି କହିଛନ୍ତି ।ପ୍ରଣବଙ୍କର ଏହି ନୀତି ଶିକ୍ଷାର କଣ ଉତ୍ତର ରଖିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାହାର କୌଣସି ପ୍ରତିକ୍ରିୟା ଆସିନାହିଁ।

You May Also Like

More From Author

+ There are no comments

Add yours