ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ । ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ: କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର “Best State for Promotion of Sports” ଗ୍ରହଣ କରିଛନ୍ତି । ଚତୁର୍ଥ ଥର ପାଇଁ ଓଡିଶା ଏହି ମର୍ଯ୍ୟଦାଜନକ ପୁରସ୍କାର ପାଇଛି। କ୍ରୀଡା କ୍ଷେତ୍ରରେ ଓଡିଶାର ଅନନ୍ୟ କାର୍ଯ୍ୟକ୍ରମ ପାଇଁ ଏହି ପୁରସ୍କାର ମିଳିଛି । କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟତା, ପ୍ରତିଯୋଗିତା, କୋଚିଂ, ଭିତ୍ତିଭୂମି ଓ ପ୍ରତିଭାଧର କ୍ରୀଡାବିତଙ୍କ ପାଇଁ କଲ୍ୟାଣ ଯୋଜନାର ମିଳିତ ଭୂମିକାରେ ପ୍ରତିଷ୍ଠା ପାଇଥିବା ଓଡିଶାର ‘ସ୍ପୋର୍ଟସ ମଡେଲ’ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇଠାରେ ହିନ୍ଦୁ ଗ୍ରୁପ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦ ହିନ୍ଦୁର ସଂପାଦକସୁରେଶ ନମ୍ବଥ ଓ ପ୍ରସିଦ୍ଧ କ୍ରିକେଟ ଖେଳାଳୀ ସୁନିଲ ଗାଭାସ୍କରଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ପୁରସ୍କାର ପାଇଁ ବିଚାରକମଣ୍ଡଳୀରେ ପୂର୍ବତନ ଭାରତୀୟ କ୍ରିକେଟ କ୍ୟାପଟେନ ସୁନିଲ ଗାଭାସ୍କରଙ୍କ ନେତୃତ୍ବରେ ଅନେକ ବିଶିଷ୍ଟ କ୍ରୀଡାବିତ ଅଭିନବ ବିନ୍ଦ୍ରା, ଅପର୍ଣ୍ଣା ପୋପଟ, ଅଞ୍ଜଳୀ ଭଗବତ, ବାଇଚୁଙ୍ଗ ଭୂତିଆ, ଏମ.ଏମ ସୌମ୍ୟା ଓ ବିଶ୍ବନାଥନ ଆନନ୍ଦ ପ୍ରମୁଖ ସଦସ୍ୟ ରହିଥିଲେ । ପୁରସ୍କାର ପାଇଁ ହିନ୍ଦୁ ଗ୍ରୁପ ତଥା ସ୍ପୋର୍ଟସ ଷ୍ଟାରକୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ଓଡିଶାର ଜନସାଧାରଣଙ୍କୁ ଉତ୍ସର୍ଗ କରିଥିଲେ ।
କ୍ରୀଡାବିତ୍‌ ମାନଙ୍କୁ ସମ୍ମାନିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସ୍ପୋର୍ଟସ ଷ୍ଟାର କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ବିଶ୍ବ କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍‌ ମାନଙ୍କ ଅବଦାନକୁ ମର୍ଯ୍ୟଦା ପ୍ରଦାନ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ଲାଟଫର୍ମ। ଏହା ଆମର ଆଗାମୀ ଦିନର ପ୍ରତିଭାବାନ କ୍ରୀଡାବିତ୍‌ ମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରିବ। କ୍ରୀଡାବିତ ମାନେ ହେଉଛନ୍ତି ଆମର ପ୍ରକୃତ ରାଷ୍ଟ୍ରଦୂତ। ସେମାନଙ୍କୁ ସହଯୋଗ ଯୋଗାଇଦେବା ଏବଂ ସେମାନଙ୍କୁ ସବୁ କ୍ଷେତ୍ରରେ ଉତ୍ସାହିତ କରିବା ଆମର ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଆମେ ବିପୁଳ ସମ୍ବଳ ବିନିଯୋଗ କରୁଛୁ । କାରଣ ଯୁବସମାଜ ପାଇଁ ସମ୍ବଳ ବିନିଯୋଗ କରିବା ଅର୍ଥ ହେଉଛି ଆମ ଭବିଷ୍ୟତ ପାଇଁ ସମ୍ବଳର ବିନିଯୋଗ। ଗତ ୫ ବର୍ଷ ମଧ୍ୟରେ ଆମ କ୍ରୀଡା ବଜେଟ ୧୦ ଗୁଣ ବଢିଛି। ଆସନ୍ତା ଆର୍ଥିକ ବର୍ଷରେ ଏହା ୧୨୦୦ କୋଟିରୁ ଅଧିକ ରହିଛି । ହକି ବିଶ୍ବକପ ସହିତ ଆମେ ଅନେକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଛୁ । ଖେଳାଳୀ ମାନଙ୍କ ପାଇଁ ଆମେ ବିଶ୍ବସ୍ତରୀୟ ଭିତ୍ତିଭୂମି ସୁବିଧା ନିର୍ମାଣ କରିବା ସହିତ ବିଭିନ୍ନ High Performance Centre ଓ ପ୍ରତିଯୋଗିତା ଜରିଆରେ ଖେଳାଳୀ ମାନଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ଉଦ୍ୟମ କରୁଛୁ । କ୍ରୀଡା କ୍ଷେତ୍ରରେ ଓଡିଶାର ଜୟଯାତ୍ରାରେ ସାମିଲ ହେବା ପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ଏବଂ ଆମେ ସମସ୍ତେ ମିଶି ଭାରତୀୟ କ୍ରୀଡା ପାଇଁ ବିଶ୍ବସ୍ତରରେ ଗୌରବ ହାସଲ କରିପାରିବା ବୋଲି ସେ କହିଥିଲେ। ଅଲମ୍ପିକସରେ ଦେଶର ପତାକାକୁ ଉଚ୍ଚ ରଖିବା ହେଉଛି ସବୁ ଭାରତୀୟ ମାନଙ୍କର ସାମୁହିକ ସ୍ବପ୍ନ। ଏଥିପାଇଁ ଆମେ ସମସ୍ତେ ମିଶି ଉଦ୍ୟମ କରି ଏହାକୁ ବାସ୍ତବତାରେ ପରିଣତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

୨୦୨୨ରେ ଓଡିଶାର କ୍ରୀଡାବିତମାନେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ମେଡାଲ ଜିତି ଗୌରବ ଆଣିଥିଲେ । ଏହାସହିତ ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ FIH ଓଡିଶା ପୁରୁଷ ବିଶ୍ବକପ୍‌ ହକି-୨୦୨୩ର ସଫଳ ଆୟୋଜନ ଯୋଗୁ କ୍ରୀଡା ଦୁନିଆରେ ଓଡିଶା ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ହେବା ସହିତ ସମ୍ମାନର ପାତ୍ର ହୋଇପାରିଛି ।

You May Also Like

More From Author

+ There are no comments

Add yours