Wed. Oct 14th, 2026

ଶବ୍ଦମିଡ଼ିଆଓଡ଼ିଶା ବ୍ୟୁରୋ:ଓଡ଼ିଶା ପାଇଁ ସମ୍ମାନ ଏବଂ ଗୌରବ। ଓଡ଼ିଶାର ଭିତରକନିକା ଜାତୀୟ ଉଦ୍ୟାନକୁ ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳୀ ମାନ୍ୟତାରେ ପୁରସ୍କୃତ ହୋଇଛି।ପ୍ରକୃତିର ଏକ ବିସ୍ମୟ ହେଉଛି ଭିତରକନିକା । ୬୭୨ ବର୍ଗ କିମି ବ୍ୟାପ୍ତ ଭିତରକନିକା ଅଭୟାରଣ୍ୟ ଓ ୧୪୫ ବର୍ଗ କିମି ବିଶିଷ୍ଟ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ପ୍ରକୃତିପ୍ରେମୀ, ପରିବେଶବିତ୍‌, ଜୀବ ବିଜ୍ଞାନୀ, ପକ୍ଷୀ ବିଶାରଦମାନଙ୍କୁ ସବୁ ସମୟରେ ଆକୃଷ୍ଟ କରିଆସିଛି। ଜୈବ ବିବିଧତା ପାଇଁ ଭିତରକନିକାକୁ ଅନ୍ତର୍ଜାତୀୟ ରାମସାର ସାଇଟ୍‌ର ମାନ୍ୟତା ବି ମିଳିଛି ।ନିକଟରେ ଭାରତରେ ଥିବା ପ୍ରାକୃତିକ ପରିବେଶସ୍ଥଳୀ ମଧ୍ୟରେ ଭିତରକନିକା ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଛି ।

ନୂଆଦିଲ୍ଲୀଠାରେ ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ୩ଟି ବର୍ଗରେ ସମ୍ମାନିତ ହୋଇଛି । ଶ୍ରେଷ୍ଠ ପାର୍ବଣ ସ୍ଥଳୀ ଭାବେ ପୁରୀ ରଥଯାତ୍ରା, ଶ୍ରେଷ୍ଠ ଆଇକନିକ ସ୍ଥଳୀ ଭାବେ କୋଣାର୍କ ଏବଂ ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳୀ ଭାବେ ଭିତରକନିକାକୁ ପୁରସ୍କାର ମିଳିଛି । ବିଶ୍ୱ ପ୍ରସିଦ୍ଧ ଭିତରକନିକା ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳୀ ଭାବେ ଜାତୀୟ ସ୍ତରରେ ପୁରସ୍କୃତ ହେବା ପରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି । ବଙ୍ଗୋପସାଗର ତଟବର୍ତ୍ତୀ ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ତ୍ରିକୋଣ ଭୂମିରେ ପ୍ରକୃତିର ଗନ୍ତାଘର ବିଶ୍ୱପ୍ରସିଦ୍ଧ ଭିତରକନିକାର ଜୈବ ବିବିଧତା ଏବଂ ଭାରତର ଦ୍ୱିତୀୟ ବୃହତମ ଲୁଣା ଜଙ୍ଗଲ ସାଙ୍ଗକୁ ଏହାର ପ୍ରାକୃତିକ ବିଭବ ସବୁବେଳେ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଆସିଛି । ଏହା ସହିତ ଭିତରକନିକାରେ ପ୍ରବାହିତ ନଦୀ ନାଳରେ ପ୍ରାକୃତିକ ଭାବେ ବସବାସ କରୁଥିବା ବଉଳା କୁମ୍ଭୀର, ବିଶେଷକରି ଏଥିରେ ବସବାସ କରୁଥିବା ଶଙ୍ଖୁଆ ଧଳା କୁମ୍ଭୀର ପର୍ଯ୍ୟଟକ ଓ ଗବେଷକମାନଙ୍କୁ ଆନମନା କରିଦିଏ । ଏହାଛଡ଼ା ଗହୀରମଥାର ଅଲିଭରିଡଲେ କଇଁଛଙ୍କ ଲୀଳାଖେଳା ଓ ସମୂହ ଅଣ୍ଡାଦାନ ପ୍ରକ୍ରିୟା ସମଗ୍ର ବିଶ୍ୱରେ ବିରଳ।

By

Leave a Reply

Your email address will not be published. Required fields are marked *