ଭୁବନେଶ୍ୱରରେ ଫ୍ରେବ୍ରୁଆରୀ ୨୦ ରୁ ଆଦିବାସୀ ମେଳା

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଆଦିବାଦୀ ମେଳା।ଏଥର ଆଦିବାସୀ ମେଳା ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ନୁହେଁ ପୂର୍ବରୁ ହେଉଥିବା ଆଦିବାସୀ ପଡ଼ିଆରେ ଆୟୋଜିତ ହେବ।ଚଳିତ ବର୍ଷ ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।

ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଏହି ଆଦିବାସୀ ମେଳା’ ଆରମ୍ଭ ହୋଇଥାଏ । ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥାଆନ୍ତି । ଏଥିପାଇଁ ୧୫ଦିନ ଆଗରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥାଏ । ଏଥର ଫେବ୍ରୁଆରୀ ମାସ ୨୦ ତାରିଖରୁ ଏହି ମେଳା ଆରମ୍ଭ ହୋଇ ୧୫ ଦିନ ଧରି ଚାଲିବ ।

ଏଥିପାଇଁ ପଡ଼ିଆ ପରିସରରେ ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ପ୍ରାଙ୍ଗଣ ନିର୍ମାଣ ହେବ । ଏଥର ୧୦ଟି ଆଦିବାସୀ ଗ୍ରାମ ସମେତ ୧୨୧ଟି ଷ୍ଟଲ୍‌ରେ ଜନଜାତିମାନେ ସେମାନଙ୍କ କଳାସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟ ଆଦି ପ୍ରଦର୍ଶିତ ଓ ବିକ୍ରି କରିବେ ବୋଲି ସୂଚନା ମିଳିଛି। କରୋନା କଟକଣା ନଥିବାରୁ ମେଳାରେ ଅଧିକ ସଂଖ୍ୟାରେ ଭିଡ଼ ଜମିବ ବୋଲି ଆଶା କରାଯାଉଛି। ମେଳା ପରିସରରେ ମୋଟ୍‌ ୩ଟି ଫାଟକ ରହିବ। ସେଥିମଧ୍ୟରୁ ୨ଟି ଫାଟକ ପ୍ରବେଶ ପାଇଁ ରହିବ ଏବଂ ଗୋଟିଏ ଫାଟକ ପ୍ରସ୍ଥାନ ପାଇଁ ରହିବ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ୬୨ଶ୍ରେଣୀର ଆଦିବାସୀ ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ପ୍ରତିବର୍ଷ ରାଜଧାନୀ ଭୁବନେଶ୍ୱରରେ ଆଦିବାସୀ ମେଳା ଆୟୋଜନ କରାଯାଇଥାଏ । ୧୯୫୧ ମସିହାରୁ କଟକରୁ ଆରମ୍ଭ ହୋଇଥିବା ଏହି ମେଳା ୧୯୫୪ ମସିହାରେ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲା । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପୃଷ୍ଠପୋଷକତାରେ ଆୟୋଜିତ ହେଉଥିବା ଏହି ମେଳା ଅତୀତରେ ୭ଦିନ ଧରି ଆୟୋଜିତ ହେଉଥିବାବେଳେ ୨୦୧୦ ମସିହାରୁ ମେଳାର ଅବଧି ୧୫ଦିନକୁ ବୃଦ୍ଧି ପାଇଛି । ପ୍ରଥମେ ଆଦୀବାସୀ ପଡ଼ିଆରେ ପରେ ଟ୍ରାଫିକ୍‌ ସମସ୍ୟା ପାଇଁ ଗତ କିଛି ବର୍ଷ ହେବ ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଥିଲା ।

You May Also Like

More From Author

+ There are no comments

Add yours