ଷ୍ଟିଙ୍ଗ ଅପରେସନ ମାମଲା:ମୁଖ୍ୟ ଚୟନକର୍ତ୍ତା ପଦରୁ ବିଦା ହୋଇପାରନ୍ତି ଚେତନ ଶର୍ମା

ଶବ୍ଦମିଡ଼ିଆ ବ୍ୟୁରୋ:କ୍ରିକେଟ ଜଗତର ଏକ ବଡ ଖବର ବର୍ତ୍ତମାନ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି।ଯାହାକି ଭାରତୀୟ କ୍ରିକେଟ ଦଳ ଏବଂ ବିସିସିଆ ଉଭୟଙ୍କୁ ପ୍ରଶ୍ନବାଚୀରେ ଛିଡା କରିଛି।ଭରତୀୟ କ୍ରିକେଟ୍‌ ଟିମର ମୁଖ୍ୟ ଚୟନକର୍ତ୍ତା ପଦରୁ ବିଦା ହୋଇପାରନ୍ତି ଚେତନ ଶର୍ମା । ଏ ନେଇ ବିସିସିଆଇ ପ୍ରକ୍ରିୟା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଏକ ଜାତୀୟ ଗଣମାଧ୍ୟମ ଚେତନ ଶର୍ମାଙ୍କୁ ନେଇ ଷ୍ଟିଙ୍ଗ ଅପରେସନ୍‌ କରିବା ପରେ ଜୋର ଧରିଛି ଚର୍ଚ୍ଚା । ବଡ ବଡ ଖେଳାଳିଙ୍କୁ ନେଇ ଚେତନ ଶର୍ମାଙ୍କ ବିସ୍ଫୋରକ ବୟାନର ସତ୍ୟତା କେତେ ରହିଛି ତାହା ତଦନ୍ତ ସାପେକ୍ଷ ।

ଅନ୍ୟପଟେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଥିବା ଚେତନ ଶର୍ମାଙ୍କ ଚୌକି ଏବେ ଟଳମଳ ।

ସୂତ୍ରାନୁଯାୟୀ, ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ଚେତନ ଶର୍ମାଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ଖୁବଶୀଘ୍ର କିଛି ବଡ ନିଷ୍ପତ୍ତି ନେଇପାରେ ବୋର୍ଡ । ବିସିସିଆଇ କୋଷାଧ୍ୟକ୍ଷ ଆଶୀଷ ସେଲାର କହିଛନ୍ତି, ଚେତନ ଶର୍ମାଙ୍କୁ ପଚରାଉଚରା ପାଇଁ ବୋର୍ଡ ପକ୍ଷରୁ ଡକାଯାଇଛି । ଖୁବଶୀଘ୍ର ତାଙ୍କ ଭବିଷ୍ୟତକୁ ନେଇ BCCI ଅଧିକାରୀକ ଭାବେ ଘୋଷଣା କରିବ ।

ସୂଚନା ଯେ, ଏକ ଜାତୀୟ ଗଣମାଧ୍ୟମ ଚେତନ ଶର୍ମାଙ୍କ ଷ୍ଟିଙ୍ଗ ଅପରେସନ୍‌ କରିଥିଲା । ଗତ ମଙ୍ଗଳବାର ଏ ନେଇ ଖବର ପ୍ରସାରଣ ପରେ ଚେତନ ଶର୍ମାଙ୍କ ବିସ୍ଫୋରକ ବୟାନ ସମସ୍ତଙ୍କୁ ତାଜୁବ କରିଥିଲା । ବିସିସିଆଇର ଆଭ୍ୟନ୍ତରୀଣ ମାମଲାକୁ ପୂରାପୂରି ଭାବେ ସାମ୍ନାରେ ଥୋଇ ଦେଇଥିଲେ ଶର୍ମା । ଏପରିକି ଖେଳଳି ଚୟନ, ସୌରଭ ଗାଙ୍ଗୁଲି ଓ ବିରାଟ କୋହଲିଙ୍କ ମଧ୍ୟ ବିବାଦ ଏବଂ ଖେଳାଳିମାନେ ଫିଟ୍‌ ରହିବା ପାଇଁ ଇଞ୍ଜେକସନ୍‌ ନେଉଥିବା ଭଳି ଚାଞ୍ଚଲ୍ୟକର ବୟାନ ଦେଇଥିଲେ ଚେତନ ଶର୍ମା । ଯାହାକୁ ନେଇ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା ମଧ୍ୟ ଲାଗିରହିଛି ।

ଷ୍ଟିଙ୍ଗ ଅପରେସନରେ ଚେତନ ଶର୍ମା କହିଥିଲେ, ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଇଗୋ ବା ଅହଂ ସମସ୍ୟା ଥିଲା । ସେ ଆହୁରି ମଧ୍ୟ କହିଥିଲେ, ଅନେକ କ୍ରିକେଟର ୮୦ ରୁ ୮୫ ପ୍ରତିଶତ ଫିଟ୍‌ ଥାଇ ବି କ୍ରିକେଟ୍‌ ଖେଳିବାକୁ କୁହନ୍ତି । ଏଥିପାଇଁ ସେମାନେ ଇଞ୍ଜେକସନ୍‌ ମଧ୍ୟ ନିଅନ୍ତି ।

You May Also Like

More From Author

+ There are no comments

Add yours