ପ୍ରଥମ ଥର ପାଇଁ ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆୟୋଜନ କଲା ଓଏଫଡ଼ିସି,ଘନଶ୍ୟାମ ମହାପାତ୍ର ପାଇଲେ ସର୍ବଶ୍ରେଷ୍ଟ ସମ୍ମାନ ‘ଜୟଦେବ ପୁରସ୍କାର’

ଶବ୍ଦମିଡ଼ିଆ ବ୍ୟୁରୋ:। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିବାଦୀୟ ତଥା ଚର୍ଚ୍ଚିତ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୯ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର “ଜୟଦେବ ପୁରସ୍କାର’ ପାଇଛନ୍ତି ବିଶିଷ୍ଟ ତଥା କିମ୍ବଦନ୍ତୀ ପ୍ରଯୋଜକ ଓ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର । ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାରରେ ପୁରସ୍କୃତ କରାଯାଇଛି । ପୁରସ୍କାର ସ୍ୱରୂପ ତାଙ୍କୁ ଉତ୍ତରୀୟ, ମାନପତ୍ର, ସ୍ମୃତିଫଳକ ସହ ଦୁଇ ଲକ୍ଷ ଟଙ୍କା ଅର୍ଥରାଶି ଚେକ୍‌ ପ୍ରଦାନ କରାଯାଇଛି । ପ୍ରଥମ ଥର ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) ଆୟୋଜନରେ ଉତ୍କଳ ମଣ୍ଡପଠାରେ ସୋମବାର ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ ବାତାବରଣ ମଧ୍ୟରେ ଏହି ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଏହି ଉତ୍ସବକୁ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୟୋଜନ କରି ଆସୁଥିଲା ।

କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଉଦ୍‌ଘାଟକ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବିଶିଷ୍ଟ ଅତିଥି, ଓଏଫ୍‌ଡିସି ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଓଏଫ୍‌ଡିସି ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିୟା, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ ସାଙ୍ଗକୁ ମୁଖ୍ୟ ‘ଜୟଦେବ ପୁରସ୍କାର’ ପ୍ରଦାନ କରିଥିଲେ ।
ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ “ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ’ରେ ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଚଳଚ୍ଚିତ୍ର “କାଲିର ଅତୀତ’ ସମ୍ମାନିତ ହୋଇଛି । ଏଥିପାଇଁ ପୁରସ୍କାର ଅର୍ଥରାଶି ୫୦ ହଜାର ଟଙ୍କା, ମାନପତ୍ର, ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରାଯାଇଛି । ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ନୀଳମାଧବ ପଣ୍ଡା (କାଲିର ଅତୀତ) ପୁରସ୍କୃତ ହୋଇଛନ୍ତି । ତାଙ୍କୁ ପୁରସ୍କାର ସ୍ୱରୂପ ୨୦ ହଜାର ଟଙ୍କା, ମାନପତ୍ର, ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରାଯାଇଛି । ସେହିପରି ଶ୍ରେଷ୍ଠ ଅଭିନେତା ପୀତବାସ ତ୍ରିପାଠୀ(କାଲିର ଅତୀତ) ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶିବାନୀ ସଙ୍ଗୀତା ଷଡ଼ଙ୍ଗୀ(ବାବୁ ଭାଇଜାନ୍‌) ପୁରସ୍କୃତ ହୋଇଛନ୍ତି । ପୁରସ୍କାର ସ୍ୱରୂପ ଉଭୟଙ୍କୁ ୧୫ ହଜାର ଟଙ୍କାର ଅର୍ଥରାଶି, ମାନପତ୍ର, ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରାଯାଇଛି ।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ୨୭ଟି ବିଭାଗରୁ ୨୬ଟି ବିର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ଆବେଦନ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକୁ ଏକ ୬ ଜଣିଆ ଜୁରୀ କମିଟିଙ୍କ ଦ୍ୱାରା ଦେଖାଯାଇଥିଲା । ସେଥିରୁ ଶ୍ରେଷ୍ଠ ପୁରସ୍କାର ଲାଗି ଚୟନ କରାଯାଇଥିଲା । ମାତ୍ର ୨୦୨୧ ମସିହା ନଭେମ୍ବର ୫ରେ ଘୋଷଣା ପରେ ବିବାଦ ପାଇଁ ଏହା ହାଇକୋର୍ଟରେ ପହଞ୍ଚିଥିଲା । କୋର୍ଟଙ୍କ ରାୟ ମୁତାବକ ପୁନଃ ଚୟନ ପରେ ପୁଣି ପୁରସ୍କାର ବିଚାର କରାଯାଇ ପ୍ରଦାନ କରାଯାଇଛି । ଫଳରେ ପୁରସ୍କାର ପାଇଥିବା ଏବଂ ଚୟନ ପ୍ରକ୍ରିୟାରେ ସାମିଲ ଥିବା କପି ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯାଇ ପୁରସ୍କାର ପ୍ରଦାନ କରାଯାଇଛି ।

ଚଳଚ୍ଚିତ୍ର ପୁରସ୍କାରର ଜୁରୀ ଅଧ୍ୟକ୍ଷ ଭାବେ ବିଶିଷ୍ଟ ସିନେମାଟୋଗ୍ରାଫର ସୁରେନ୍ଦ୍ର ସାହୁ, ଜୁରୀ ସଦସ୍ୟ ଭାବେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ବିଶିଷ୍ଟ ଅଭିନେତ୍ରୀ ତ୍ରିପୁରା ମିଶ୍ର, ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଜିତେନ୍ଦ୍ର ମିଶ୍ର, ସିନେମା ସାମ୍ବାଦିକ ଆଦିକନ୍ଦ ରାଉତ ଓ ବିଶିଷ୍ଟ ଗୀତିକାର ଗୌର ପଟ୍ଟନାୟକ ରହିଥିଲେ । କିନ୍ତୁ ମଞ୍ଚରେ ବିଚାରକ ମଣ୍ଡଳୀଙ୍କୁ ସମ୍ବର୍ଦ୍ଧନା ସମୟରେ ପ୍ରଣବ ପଟ୍ଟନାୟକ, ତ୍ରିପୁରା ମିଶ୍ର ଏବଂ ଜିତେନ୍ଦ୍ର ମିଶ୍ର ଅନୁପସ୍ଥିତ ରହିଥିଲେ । ଏହି ଅବସରରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସ୍ୱତନ୍ତ୍ର ବର୍ଗରେ ପୁରସ୍କୃତ ‘କାଲି ପାଇଁ କାଲିର ସିନେମା’ ପୁସ୍ତକର ଲେଖକ ସୂର୍ଯ୍ୟ ଦେଓଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।

You May Also Like

More From Author

+ There are no comments

Add yours