ବିଡ଼ମ୍ବନା:ପର୍ଯ୍ୟଟକଙ୍କ କାମରେ ଲାଗୁନି ପଥପ୍ରାନ୍ତ ସୁବିଧା କେନ୍ଦ୍ର

ଶବ୍ଦମିଡ଼ିଆ ବ୍ୟୁରୋ:ବିଭିନ୍ନ ଜିଲ୍ଲାରେ ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଜିଲ୍ଲାର ମୁଖଶାଳାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ କରୁଛନ୍ତି।ତେବେ କେନ୍ଦୁଝର ଜିଲ୍ଲାରୁ ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ ନେଇ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି।ଲୋକଙ୍କୁ ଗୋଟିଏ ସ୍ଥାନରେ ଖାଦ୍ୟ, ପାନୀୟ, ବିଶ୍ରାମ, ଶୌଚାଳୟ ଆଦି ସୁବିଧା ଯୋଗାଇଦେବାକୁ ସରକାର ରାଜ୍ୟର ପ୍ରମୁଖ ରାସ୍ତାକଡ଼ରେ ପଥପ୍ରାନ୍ତ ସୁବିଧାକେନ୍ଦ୍ର ଖୋଲିଛନ୍ତି। ଏହି କ୍ରମରେ କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ବାଲିଯୋଡ଼ି ନିକଟରେ ଏନ୍‌ଏଚ୍‌ ୨୦ କଡ଼ରେ ନିର୍ମାଣ ହୋଇଥିବା ବ୍ୟୟ ବହୁଳ ପଥପ୍ରାନ୍ତ ସୁବିଧାକେନ୍ଦ୍ର ଲୋକଙ୍କ ସେବାରେ ଲାଗୁନି।

ରକ୍ଷଣାବେକ୍ଷଣ ବାବଦକୁ ଲକ୍ଷାଧିକ ଟଙ୍କା ସରକାରଙ୍କ ତହବିଲରୁ ଖର୍ଚ୍ଚ ହେଉଛି। ମାତ୍ର ଠିକ୍‌ ତଦାରଖ ଅଭାବରୁ ସାମଗ୍ରୀ ଭାଙ୍ଗିଯିବା ସହ ଫୁଲ ଗଛ ନଷ୍ଟ ହୋଇଗଲାଣି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
କେନ୍ଦୁଝର ଆରାଧ୍ୟଦେବୀ ମା’ ତାରିଣୀଙ୍କ ପୀଠ, ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ତଥା ଭକ୍ତ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଘଟଗାଁ ବ୍ଲକ୍‌ ବାଲିଯୋଡ଼ି ନିକଟରେ ଉକ୍ତ କେନ୍ଦ୍ର ସ୍ଥାପନ ହୋଇଥିଲା। ପାଖାପାଖି ୭ ମାସ ହେଲା ଏହାର ନିର୍ମାଣ କାର୍ଯ୍ୟ ସରିଥିଲେ ବି ଲୋକଙ୍କ ସେବାରେ ଲାଗି ପାରୁନାହିଁ। ଏହାର ରକ୍ଷଣାବେକ୍ଷଣ ପାଇଁ ବାହାରର ଏକ ଆଉଟସୋର୍ସିଂ ସଂସ୍ଥାକୁ ଦିଆଯାଇଛି। ମାସିକ ୮ ହଜାର ଟଙ୍କା ଦରମା ନେଇ ୫ ଜଣ ସୁରକ୍ଷା କର୍ମୀ ନିଯୁକ୍ତ ହୋଇଛନ୍ତି। ରକ୍ଷଣାବେକ୍ଷଣରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପରିସରରେ ଥିବା ଫୁଲଗଛ ମରିଗଲାଣି। ପରିସରରେ ଲାଗିଥିବା ଲାଇଟ ମଧ୍ୟ ଜଳୁନାହିଁ। ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇ ନ ଥିବା ବେଳେ ପାଣି ଟ୍ୟାପ୍‌ଗୁଡ଼ିକ ଭାଙ୍ଗିଗଲାଣି। ଅନେକ ସମୟରେ ପର୍ଯ୍ୟଟକମାନେ ଅଜାଣତରେ ସେଠାକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ଅନୁରୂପ ଭାବେ ଘଷିପୁରା ବ୍ଲକ୍‌ ବଡ଼ପଦନାରେ ନିର୍ମାଣ ହୋଇଥିବା ସୁବିଧାକେନ୍ଦ୍ର ମଧ୍ୟ ପୂର୍ଣ୍ଣ ବ୍ୟବହାର ହୋଇ ନ ପାରି ପଡ଼ିରହିଛି।
ଏନେଇ ଅଧୀକ୍ଷଣ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି, ଉକ୍ତ କେନ୍ଦ୍ର ନିର୍ମାଣ ସରିଛି। ଏବେ ସରକାରଙ୍କ ନିଷ୍ପତ୍ତିକ୍ରମେ ଏକ ଏଜେନ୍ସିକୁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି। କେବଳ ଗାଡ଼ି ପାର୍କିଂ ଓ ଶୌଚ ବ୍ୟବସ୍ଥା ଲୋକଙ୍କୁ ଦିଆଯାଇଛି। ଖୁବ୍‌ ଶୀଘ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସେ କହିଥିଲେ।

You May Also Like

More From Author

+ There are no comments

Add yours