ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ, ୬୮ କିମିକୁ ମିଳିଲା ଜଙ୍ଗଲ ଅନୁମତି

ଶବ୍ଦ ଓଡିଶା ବ୍ୟୁରୋ: ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳଲାଇନ ପ୍ରକଳ୍ପରେ ଜଙ୍ଗଲ ଜମିକୁ ଫରେଷ୍ଟ କ୍ଲିୟରାନ୍ସ ମିଳିଛି । ପୁରୁଣାକଟକରୁ ଦଶପଲା ଯାଏଁ ୬୮ କିଲୋମିଟର ଜଙ୍ଗଲ ଜମିକୁ ଜଙ୍ଗଲ ବିଭାଗ ଅନୁମତି ପ୍ରଦାନ କରିଥିବା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି ୬୮କିମି ରେଳ ଲାଇନ କାମ ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିସହିତ, ଜଙ୍ଗଲ ଅନୁମତି ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବଲାଙ୍ଗୀର ପଟୁ ବିଛୁପାଲି ଯାଏ ରେଳ ଚଳାଚଳର ଶୁଭାରମ୍ଭ ହୋଇଛି । ଏହାରି ଭିତରେ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରାଯାଇ ସୁବର୍ଣ୍ଣପୁର ଜିଲ୍ଲା ଝାରତରଭା ଷ୍ଟେସନ ଯାଏ ଟ୍ରାଏଲ୍‌ ରନ୍‌ ସରିଛି । ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୪୯ କିମି ରେଳପଥ ନିର୍ମାଣ ହେବାକୁ ଥିବାବେଳେ ଜମି ଅଧିଗ୍ରହଣ ସରିଯାଇଛି । ବୌଦ୍ଧ ଜିଲ୍ଲାରେ ୧୧୦ କିମି ରେଳପଥ ନିର୍ମାଣ ହେବାକୁ ଥିବା ବେଳେ ଘରୋଇ ଜମି, ସରକାରୀ ଜମିର ଅଧିଗ୍ରହଣ ସରିଛି । ସେପଟେ ନୟାଗଡ଼ ପଟରୁ ନୂଆଗାଁ, ମହୀପୁର ଯାଏ ଟ୍ରେନ୍‌ ଗଡ଼ିଛି । ମଝିରେ କେବଳ ଜଙ୍ଗଲ ଜମି ହିଁ ପ୍ରକଳ୍ପ ପାଇଁ ବଡ଼ ସମସ୍ୟା ଥିଲା । ବିଶେଷକରି ବୌଦ୍ଧ ଜିଲ୍ଲାର ପୁରୁଣାକଟକ, ଚାରିଛକରୁ ଦଶପଲ୍ଲା ଯାଏ ଜଙ୍ଗଲ ଜମି ଅନୁମୋଦନ ପାଇନଥିଲା । ଯାହାକୁ ଏବେ ଜଙ୍ଗଲ ଅନୁମତି ମିଳିସାରିଛି। ଏବେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ଦ୍ରୁତଗତିରେ ଆଗେଇବ ବୋଲି ଆଶା କରାଯାଉଛି ।

You May Also Like

More From Author

+ There are no comments

Add yours