Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ନୂଆ ରୂପ ପାଉଛି ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ । ପୁରୀ ଜିଲ୍ଲା ସୁଆଣ୍ଡୋରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଜନ୍ମପୀଠକୁ ପୁନଃବିକଶିତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର ପରିଦର୍ଶନ କରି ଏହାର ପୁନଃବିକାଶ କାର୍ଯ୍ୟର ତଦାରଖ କରିଛନ୍ତି ।

ଉତ୍କଳମଣିଙ୍କ ଷଠୀଘର, ଢିଙ୍କିଶାଳ ଆଦିର ସଂରକ୍ଷଣ କାମ ସହ ଗାଁ ପୋଖରୀର ପୁନରୁଦ୍ଧାର, ସଂଗ୍ରହାଳୟ କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତିକୁ ନେଇ ଫାଇଭ ଟି ସଚିବ ସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ସୁଆଣ୍ଡୋବାସୀଙ୍କ ଅନୁରୋଧରେ ଲୋକେଶ୍ୱର ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ କରିଛନ୍ତି ରାଜ୍ୟସରକାର । ଶୁକ୍ରବାର ଲୋକେଶ୍ୱର ମନ୍ଦିରର ପ୍ରତିଷ୍ଠାରେ ମଧ୍ୟ ଫାଇଭ-ଟି ସଚିବ ସାମିଲ ହୋଇଥିଲେ । ଆସନ୍ତା ୨୩ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମପୀଠକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ ।

ପୂର୍ବରୁ ଉତ୍କଳମଣିଙ୍କ ଗାଁ ଅବହେଳିତ ଅବସ୍ଥାରେ ଥିଲା। ଗାଁକୁ ଭଲ ରାସ୍ତା ନଥିଲା। ରାଜ୍ୟ ସରକାର ସୁଆ‌ଣ୍ଡୋ ବିକାଶ ପ୍ରକଳ୍ପର ବ୍ୟବସ୍ଥା କରିଥିଲେ । ପ୍ରାୟ ୨୫କୋଟି ୮୦ଲକ୍ଷ ଟଙ୍କା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯାଇଛି । ଯେଉଁଥିରେ ସୁଆଣ୍ଡୋ ଗାଁ ରାସ୍ତା, ଗୋପବନ୍ଧୁଙ୍କ ଷଠିଘର, ଗାଁ ପୋଖରୀ, ଗୋପବନ୍ଧୁଙ୍କ ଉପରେ ନୂଆ ସଂଗ୍ରହାଳୟ, ପାର୍କ, ଶିଶୁ ଉଦ୍ୟାନ, ମାର୍କେଟ୍‌ ବିଲ୍ଡିଂ ଆଦି ବିକାଶ କାର୍ଯ୍ୟ କରାଯାଇଛି । ଗାଁର ଲୋକେଶ୍ୱର ମହାଦେବଙ୍କ ମନ୍ଦିର ବହୁଦିନରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା ।

ସୁଆଣ୍ଡୋବାସୀଙ୍କ ଅନୁରୋଧକ୍ରମେ ଲୋକେଶ୍ୱର ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଛି। ପୁରୁଣା ମନ୍ଦିର ଭାଙ୍ଗି ଖାଣ୍ଡେଲାଇଟ୍‌ ପଥରରେ ନୂଆ ମନ୍ଦିର ନିର୍ମାଣ କରାଯାଇଛି। ମହାଦେବ ମନ୍ଦିରର ପୁରୁଣା ଶିବ ଲିଙ୍ଗକୁ ପାତାଳି କରାଯାଇ, ନୟାଗଡ଼ରୁ ଆସିଥିବା ନୂଆ କଳା ମୁଗୁନି ପଥରର ଶିବ ଲିଙ୍ଗ ମନ୍ଦିରରେ ପୁନଃପ୍ରତିଷ୍ଠା କରାଯାଇଛି ।

Leave a Reply

Your email address will not be published. Required fields are marked *