ଆଜି ଝାରସୁଗୁଡା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଦିବଂଗତ ମନ୍ତ୍ରୀ ନବଦାସଙ୍କ ଦ୍ଵାଦଶାହରେ ଦେବେ ଯୋଗ

ଶବ୍ଦମିଡ଼ିଆ ବ୍ୟୁରୋ:: ନବ ଦାସଙ୍କ ଦ୍ୱାଦଶାହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡା ସରବାହାଲର ହାଇସ୍କୁଲ ପଡିଆରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ମଧ୍ୟାହ୍ନ ୧୨ଟାରେ ଅବତରଣ କରିବେ ।

ସେଠାରୁ ହେଲିକପ୍ଟରରେ ଆସି ଅସ୍ଥାୟୀ ହେଲିପ୍ୟାଡ୍‌ରେ ୧୨.୧୫ରେ ଅବତରଣ କରି ନିକଟରେ ଥିବା ସରବାହାଲ ହାଇସ୍କୁଲ ପଡ଼ିଆକୁ ଯାଇ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବେ ।

୨.୪୫ମି.ରେ ହେଲିକପ୍ଟରରେ ଝାରସୁଗୁଡା ବିମାନ ବନ୍ଦରକୁ ଯିବା ପରେ ଅପରାହ୍‌ଣ ୧ଟାରେ ବିମାନରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ବିରୋଧୀ ଦଳନେତା ଓ ସାଂସଦମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶ୍ରଦ୍ଧାଞ୍ଜଳି ମଣ୍ଡପ ନିକଟରେ ନବ ଦାସଙ୍କ ବଡ଼ ବଡ଼ ହୋର୍ଡିଂ ସବୁ ଲାଗିବାର ବ୍ୟବସ୍ଥା ହୋଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ୫୦ ହଜାରରୁ ଅଧିକ ଲୋକଙ୍କ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ୪୦ ରୁ ଅଧିକ କାଉଣ୍ଟର ବ୍ୟବସ୍ଥା ହୋଇଛି । ଭିଭିଆଇପି, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୁରକ୍ଷା ପାଇଁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି । ପ୍ରାୟ ୨୦ ପ୍ଲାଟୁନ ଫୋର୍ସ ଏଥିପାଇଁ ମୁତୟନ ହେବେ । ଏଥିସହ ଟ୍ରାଫିକ ଆଡ଼ଭାଜରି ଜାରି କରିଛି ଝାରସୁଗୁଡା ପୋଲିସ । ଏହି କାର୍ଯ୍ୟକ୍ରମ ପାଇଁ ନବଙ୍କ ପରିବାର ଓ ଶୁଭେଚ୍ଛୁକଙ୍କ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ନବୀନ ପ୍ରାୟ ଅଧ ଘଣ୍ଟାଏ ରହିବା ପରେ ସେ ଭୁବନେଶ୍ୱର ଫେରି ଆସିିବେ । ଅନ୍ୟପଟେ ଏହି ସଭାରେ ଝାରସୁଗୁଡା, ସମ୍ବଲପୁର ସହ ଆଖପାଖ ଜିଲ୍ଲାରୁ ବହୁ ଲୋକ ଯୋଗ ଦେବେ ବୋଲି ଜଣାପଡିଛି । ସେହିପରି ନବ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରକ୍ତଦାନ ଶିବିର ମଧ୍ୟ ସେଠାରେ ଆୟୋଜନ କରାଯାଇଛି । ଏଥିରେ ୧୦୦୦ ୟୁନିଟ୍‌ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି ।





You May Also Like

More From Author

+ There are no comments

Add yours