Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ପୁଣି ଉଠିଲା ପ୍ରଶ୍ନ । ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ଦିଗବିଜୟ ସିଂ । ସେ କହିଛନ୍ତି ଯେ ବିଜେପିର କେନ୍ଦ୍ର ସରକାର ଅନେକ ଦାବି କରିଛନ୍ତି କିନ୍ତୁ କୌଣସି ପ୍ରମାଣ ଦେଇନାହାଁନ୍ତି। ଜାମ୍ମୁରେ ଭରତ ଯୋଡା ଯାତ୍ରାରେ ଯୋଗଦେଇ କଂଗ୍ରେସ ନେତା କହିଛନ୍ତି ଯେ ବିଜେପି କେବଳ ମିଥ୍ୟା ପ୍ରଚାର କରୁଛି । ସେ କହିଛନ୍ତି, ଏହାର ସୂଚନା ସଂସଦରେ ଉପସ୍ଥାପିତ ହୋଇନାହିଁ କିମ୍ବା ସାର୍ବଜନୀନ କରାଯାଇ ନାହିଁ।

ଦିଗବିଜୟ ସିଂ ଆହୁରି କହିଛନ୍ତି ଯେ ବିଜେପି ସରକାର କେବଳ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଘୃଣାଭାବ ବ୍ୟାପୁଛି । ସରକାର ଏଠାରେ କୌଣସି କାମ କରିବାକୁ ଚାହୁଁନାହାଁନ୍ତି, ଏଠାରେ ସମସ୍ୟାର ସମାଧାନ କରିବାକୁ ଚାହୁଁନାହାଁନ୍ତି। କଂଗ୍ରେସ ନେତା କହିଛନ୍ତି ଯେ ବିଜେପି ଏହି ସମସ୍ୟାକୁ ଚିରସ୍ଥାୟୀ କରିବାକୁ ଚାହୁଁଛି ଯାହା ଦ୍ୱାରା କାଶ୍ମୀର ଫାଇଲ ଭଳି ଚଳଚ୍ଚିତ୍ର ନିର୍ମାଣ ଜାରି ରହିବ।

ପୁଲୱାମା ମାମଲରେ ସେ ସରକାରଙ୍କ ଦୋଷଦେଇ କହିଛନ୍ତି ଯେ, ସରକାର ଜାଣନ୍ତି ଯେ ପୁଲୱାମା ଏକ ସମ୍ବେଦନଶୀଳ ଅଞ୍ଚଳ, ତେବେ କାହିଁକି ସୈନିକମାନଙ୍କୁ କାଶ୍ମୀରକୁ ବିମାନ ଯୋଗେ ପଠାଗଲା ନାହିଁ। ସରକାର ଜାଣିଶୁଣି ଏହା କରିଛନ୍ତି। କଂଗ୍ରେସ ନେତାଙ୍କ କହିବା ମୁତାବକ, ପ୍ରତ୍ୟେକ ଗାଡି ଯାଞ୍ଚ କରାଯାଇଛି, ତେବେ ସ୍କର୍ପିଓ ଗାଡି କାହିଁକି ଯାଞ୍ଚ କରାଯାଇ ନାହିଁ, ଯେଉଁଥିପାଇଁ ୪୦ ଜଣ ସୈନିକଙ୍କର ମୃତ୍ୟୁ ଘଟିଛି।

ସେପଟେ ପୂର୍ବରୁ ରାଜନାଥ ସିଂ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି କହିଥିଲେ ଯେ, ରାହୁଲ ଗାନ୍ଧୀ ଭାରତକୁ ଯୋଡୋ ଯାତ୍ରା ମାଧ୍ୟମରେ ଦେଶରେ ଘୃଣା ବ୍ୟାପିବାରେ ଲାଗିଛନ୍ତି। ତେବେ କଂଗ୍ରେସ ନେତା ଦିଗବିଜୟ ସିଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏହି ମନ୍ତବ୍ୟର ଜବାବ ଦେଇଛନ୍ତି । ଯାହାକୁ ନେଇ ବର୍ତମାନ ରାଜନୀତିରେ ଶାସକ ଓ ବିରୋଧି ଦଳ ନେତାଙ୍କ ମଧ୍ୟରେ ତୁମ୍ବିତୁଫାନ ଆରମ୍ଭ ହୋଇଯାଇଛି ।

Leave a Reply

Your email address will not be published. Required fields are marked *