ମହାପ୍ରଭୁଙ୍କ ଦର୍ଶନ ପରେ ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ମହାପ୍ରସାଦ ସେବନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗଜପତି ମହାରାଜା, ପାଟରାଣୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିଜର ଝିଅ-ଜ୍ବାଇଁଙ୍କ ସହ ପୁରୀସ୍ଥିତ ରାଜଭବନରେ ମହାପ୍ରସାଦ ସେବନ କରିଛନ୍ତି। ଏ ନେଇ ରାଷ୍ଟ୍ରପତି ନିଜର ଟୁଇଟର ଆକାଉଣ୍ଟ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।ସମସ୍ତ ଅତିଥିଙ୍କ ସହ ରାଷ୍ଟ୍ରପତି ପରମ୍ପରାର ଅନୁସରଣ କରି ଏକାସାଙ୍ଗରେ ତଳେ ବସି ମହାପ୍ରସାଦ ସେବନ କରିଥିଲେ ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଭବନ ପରିସରରେ ୧୦୩ ନମ୍ବର କୋଠରୀରେ ଶ୍ରୀମନ୍ଦିର ସକାଳ ଧୂପରେ ଆସିଥିବା ମହାପ୍ରସାଦ ବ୍ୟଞ୍ଜନ ସେବନ କରିଥିଲେ। ମହାପ୍ରସାଦରେ ଘିଅ ଅନ୍ନ, ଖେଚୁଡ଼ି, ମିଷ୍ଟାନ୍ନ, ଡାଲି, ଡାଲମା, ମହୁର, ଶାଗମୁଗ, ସନ୍ତୁଳା, ଛେନାବଡ଼ି ବେସର, ସପୁରୀ ଖଟା, ରାଇତା, ପୋଟଳ ରସା, ବିରିମୁଗ, ଫଳ ରାବିଡ଼ି, ତାଡ଼ିଆ, ଝିଲ୍ଲୀ, ଚନ୍ଦ୍ରକାନ୍ତି, ହଂସକେଳି, ଏଣ୍ଡୁରି, କାକରା ସାମିଲ ଥିଲା। ଏସବୁକୁ ପିତ୍ତଳ ଥାଳିରେ ସଜାଡି କଦଳୀ ପତ୍ରରେ ପରଶା ଯାଇଥିଲା। ପୁଣି ମାଟିପାତ୍ରରେ ରସାବଳୀ ଆଉ ପାପୁଡି ପରଶା ଯାଇଥିଲା। ରାଜଭବନରେ ପାରମ୍ପରିକ ବେଶ ପୋଷାକ, ବାସନକୁସନ, ସମ୍ବଲପୁରୀ ଗାମୁଛା ବ୍ୟବହାର କରାଯାଇଥିଲା।

ମହାପ୍ରସାଦ ସେବନ ପରେ ଅପରାହ୍ନ ୩.୧୭ରେ ସେ ରାଜଭବନ ପରିସରରୁ ବାହାରି ୩ .୪୦ରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଷଷ୍ଠଥର ପାଇଁ ପୁରୀ ଆସିଥିଲେ । ମହାପ୍ରସାଦ ସେବନ କରିବା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେ ପ୍ରାୟ ୩୦ ମିନିଟ ଧରି ଶ୍ରୀମନ୍ଦିରରେ ଥିଲେ। ‌ତାଙ୍କର କୌଳିକ ପଣ୍ଡାଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କୁ ତୁଳସୀମାଳ ଅର୍ପଣ କରିଥିଲେ ଏବଂ ଦୀପ ଜାଳିଥିଲେ। ମହାବାହୁଙ୍କ ଦର୍ଶନ ବେଳେ ତାଙ୍କର ଆଖି ଛଳଛଳ ହୋଇଯାଇଥିଲା। ତା’ପରେ ସେ ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ। ଶେଷରେ ସେ ଶ୍ରୀମନ୍ଦିରର ଦର୍ଶନାର୍ଥୀ ପୁସ୍ତିକାରେ ଦସ୍ତଖତ କରିଥିଲେ। ଜଣେ ସାଧାରଣ ଭକ୍ତଙ୍କ ପରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସେବାୟତମାନେ ତାଙ୍କୁ ଆଶୀର୍ବାଦ କରିଥିଲେ। ବାରମ୍ବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ।ଏହା ପୂର୍ବରୁ ବଡ଼ଦାଣ୍ଡ ପ୍ରବେଶ କରିବା ପରେ ଭାବବିହ୍ବଳ ହୋଇପଡ଼ିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବଡ଼ଦାଣ୍ଡରେ ପ୍ରାୟ ୨ କିଲୋମିଟର ରାସ୍ତା ସେ ଚାଲି ଚାଲି ଶ୍ରୀମନ୍ଦିରକୁ ଆସିଥିଲେ । ସେ ଆଜି ତାଳବଣିଆ ହେଲିପ୍ୟାଡରୁ ଓହ୍ଲାଇବା ପରେ କାରରେ ଶ୍ରୀମନ୍ଦିରକୁ ଆସୁଥିବା ବେଳେ ମେଡିକାଲ ଛକରେ କାରରୁ ଓହ୍ଲାଇଗଲେ। ସେଠାରେ ମହାବାହୁଙ୍କୁ ହାତଟେକି ନିଜର ଭକ୍ତିଭାବ ପ୍ରଦର୍ଶନ କରିଥିଲେ। ସେ ସେଠାରୁ ଚାଲି ଚାଲି ଆସୁଥିବା ବେଳେ ବାଟରେ ଏକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲେ। ରାଷ୍ଟ୍ରପତି ସିଂହଦ୍ବାର ସମ୍ମୁଖରେ ଶ୍ରୀଜିଉଙ୍କୁ ଭୂମିରେ ମୁଣ୍ଡ ଲଗାଇ ପ୍ରଣିପାତ କରିଥିଲେ। ଏସବୁ ଦୃଶ୍ୟ ସାରା ଓଡ଼ିଶାବାସୀଙ୍କୁ ଅଭିଭୂତ କରିଛି।

ତାଙ୍କ ସହ ରାଜ୍ୟପାଳ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଓ ରାଷ୍ଟ୍ରପତିଙ୍କ କନ୍ୟା ପ୍ରମୁଖ ବି ଥିଲେ। ସିଂହଦ୍ବାର ନିକଟରେ ଗଜପତି ଦିବ୍ୟସିଂହ ଦେବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଅରୁଣ ସ୍ତମ୍ଭଙ୍କୁ ଛୁଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

You May Also Like

More From Author

+ There are no comments

Add yours