Thu. Oct 15th, 2026

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛି ମେକ୍ସିକୋ। ଦୁଇ ଦେଶ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଜାତିସଂଘ ଗୋଟିଏ କମିଟି ଗଠନ କରୁ। ଏହି କମିଟିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୋପ ଫ୍ରାନ୍ସିସ ଓ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ସାମିଲ କରାଯାଉଛି। ମୋଦି ହିଁ ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିପାରିବେ ବୋଲି ମେକ୍ସିକୋ ପ୍ରସ୍ତାବ ଦେଇଛି।

ନ୍ୟୁୟର୍କରେ ବସିଥିବା ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ସ୍ଥିତିକୁ ନେଇ ଆୟୋଜିତ ବିତର୍କ ବେଳେ ମେକ୍ସିକୋ ବୈଦେଶିକ ମନ୍ତ୍ରୀ ମାର୍କେଲୋ ଲୁଇସ ଇର୍ବାଡ କାସାଉବୋନ ନିଜର ପକ୍ଷ ରଖିବା ବେଳେ ଏପରି କହିଛନ୍ତି। ତାଙ୍କ ପ୍ରସ୍ତାବ ଉପରେ ଜାତିସଂଘ ଏବେ ବିଚାର କରୁଥିବା ଜଣାପଡ଼ିଛି।

କିଛି ଦିନ ତଳେ ଉଜବେକିସ୍ତାନର ସମରକନ୍ଦରେ ଏସ୍‌ସିଓ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଆଲୋଚନା ବେଳେ ମୋଦି ରୁଷ ରାଷ୍ଟ୍ରପତି ପୁଟିନଙ୍କୁ କହିଥିଲେ ଯେ “ଆଜିର ଯୁଗ ଯୁଦ୍ଧ ପାଇଁ ନୁହେଁ।” ମୋଦିଙ୍କ ଏପରି ବୟାନକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ଭଳି ପାଶ୍ଚାତ୍ୟ ଦେଶ ସ୍ୱାଗତ କରିଥିଲେ।

ଏହାକୁ ଆଧାର କରି ମେକ୍ସିକୋ ବୈଦେଶିକ ମନ୍ତ୍ରୀ ମାର୍କେଲୋ ଲୁଇସ ଇର୍ବାଡ କାସାଉବୋନ ଆଜି ଜାତିସଂଘରେ ମୋଦିଙ୍କୁ ଶାନ୍ତି କମିଟିରେ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିସହ ଅନ୍ତର୍ଜାତୀୟ ସମୂହ ବେଶ ସକ୍ରିୟ ଭାବେ ଶାନ୍ତି ପ୍ରତିଷ୍ଠା ଦିଗରେ କାମ କରିବାକୁ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *