ଯୁବପିଢି ଚାହିଁଲେ ଭାରତ ଅର୍ଥନୀତିର ବିକାଶ ସମ୍ଭବ

ଅର୍ଥନୀତିର ପୁରୁଣା ପୃଷ୍ଠା ଓଲଟାଇଛନ୍ତି ନାରାୟଣ ମୂର୍ତ୍ତି। ଭାରତରେ ଆଇଟି କ୍ଷେତ୍ରରେ ନାମୀ କମ୍ପାନୀ ଇନଫୋସିସର ସହ-ସଂସ୍ଥାପକ ଏନ ଆର ନାରାୟଣ ମୂର୍ତ୍ତି ଶୁକ୍ରବାର କହିଛନ୍ତି କି କଂଗ୍ରେସ ଅନୁଗାମୀ ୟୁପିଏ ସରକାର ସମୟରେ ଭାରତର ଆର୍ଥିକ ଗତିବିଧି ଠପ ହୋଇଯାଇଥିଲା । ଏହାସହ ସେ କହିଛନ୍ତି ମନମୋହନ ସିଂଙ୍କ ସରକାର ସମୟରେ କୌଣସି ନିଷ୍ପତ୍ତି ନିଆଯାଉ ନ ଥିଲା ।

ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଅହମଦାବାଦରେ ଯୁବ ଉଦ୍ଦ୍ୟୋଗୀ ଓ ଛାତ୍ରଙ୍କ ସହ କଥା ହେବା ସମୟରେ ସେ ଭାରତୀୟ ଯୁବବର୍ଗ ଉପରେ ଭରସା କରି କହିଛନ୍ତି, ଯୁବବର୍ଗ ମୁଣ୍ଡ ଖଟାଇଲେ ଚାଇନା ଭଳି ବିକାଶଶୀଳ ଦେଶ ହାଇପାରିବ ଭାରତ । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମୁଁ ଲଣ୍ଡନରେ (୨୦୦୮ ଓ ୨୦୧୨ ମଧ୍ୟରେ) ଏଚଏସବିସିର ବୋର୍ଡରେ ଥିଲି । ପ୍ରଥମ କିଛି ବର୍ଷରେ ଯେତେବେଳେ ବୋର୍ଡରୁମ(ବୈଠକ ସମୟରେ) ଦୁଇ ତିନି ଥର ଚାଇନାର ଉଲ୍ଲେଖ କରାଯାଇଥିଲା ସେତେବେଳେ ଭାରତର ନାମ ଗୋଟିଏ ଥର ନିଆଯାଇଥିଲା । ହେଲେ ଦୁର୍ଭଗ୍ୟର କଥା ପରେ କ’ଣ ହେଲା ମୁଁ ଜାଣି ନାହିଁ । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପ୍ରତି ମୋର ସମ୍ମାନ ରହିଛି ସେ ଜଣେ ଅସାଧାରଣ ବ୍ୟକ୍ତି । କିନ୍ତୁ ତାଙ୍କ ସମୟରେ ଭାରତ ଯେମିତି ଅଟକି ଯାଇଥିଲା, ନିଷ୍ପତ୍ତି ନିଆଯାଉ ନ ଥିଲା । ମୁଁ ୨୦୧୨ରେ ଏଚଏସବିସି ବୋର୍ଡ ଛାଡିଲି ହେଲେ ଭାରତର ନାମ ହୁଏତ ଥରେ ବି ନିଆଯାଇ ନ ଥିଲା । ଯେଉଁଠି ଚାଇନାର ନାମ ୩୦ ଥର ନିଆଯାଇଥିଲା ।

ଏବେ କିନ୍ତୁ ସମୟ ବଦଳିଛି । ଏନଡିଏ ସରକାର ସମୟରେ ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଭାଜପା ନେତୃତ୍ୱ ସରକାର ମେକ ଇନ ଇଣ୍ଡିଆ , ଷ୍ଟାର୍ଟଅପ ଇଣ୍ଡିଆ ଯୋଜନାରେ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ହାସଲ କରିବାକୁ ସାହାଯ୍ୟ କରିଛି । ଏବେ ଭାରତ ବିଶ୍ୱରେ ୫ମ ସବୁଠାରୁ ବଡ ଅର୍ଥବ୍ୟବସ୍ଥାର ଦେଶ ହୋଇପାରିଛି ।
ଦେଶର ଯୁବବର୍ଗଙ୍କ ଉପରେ ଭରସା କରି ନାରାୟଣ ମୂର୍ତ୍ତି କହିଛନ୍ତି, ଆପଣମାନେ ଚାହିଁଲେ ଦେଶ ଚାଇନା ଭଳି ବିକାଶଶୀଳ ହୋଇ ପାରିବ । ମାତ୍ର ୪୪ ବର୍ଷରେ ଚାଇନା ଭାରତକୁ ପଛକୁ ପକାଇ ଦେଇଛି । ଭାରତଠାରୁ ତା’ର ଅର୍ଥବ୍ୟବସ୍ଥା ୬ ଗୁଣା ବୃଦ୍ଧି ହୋଇଛି । ତେଣୁ ଦେଶକୁ ଆଗକୁ ବଢିବାକୁ ହେଲେ ଯୁବଶକ୍ତିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

You May Also Like

More From Author

+ There are no comments

Add yours