ଅନ୍ୟ ସବୁ କ୍ଷେତ୍ର ପରି ଭାରତ ସାମରିକ ଶକ୍ତିରେ ମଧ୍ୟ ଯଥେଷ୍ଟ ପାରମଙ୍ଗତା ଆଣିପାରିଛି। ଏଥିପାଇଁ ବିଶ୍ୱର ୪ର୍ଥ ବୃହତ ସଶକ୍ତ ସାମରିକ ଶକ୍ତିର ସ୍ଥାନ ଅକ୍ତିଆର କରିପାରିଛି। ଏବେ ଏଥିରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ଯାହାର ନାଁ ରହିଛି ‘ଆଇଏନ୍ଏସ୍ ବିକ୍ରାନ୍ତ’। ସମ୍ପୂର୍ଣ୍ଣ ସ୍ୱଦେଶୀ କାରିଗରୀ କୌଶଳରେ ନିର୍ମିତ ପ୍ରଥମ ବିମାନବାହୀ ଜାହାଜ ‘ଆଇଏନ୍ଏସ୍ ବିକ୍ରାନ୍ତ’କୁ ସେପ୍ଟେମ୍ବର ୨ରେ ନୌବାହିନୀରେ ସାମିଲ କରାଯିବ ବୋଲି ସୂତ୍ରରୁ ଜଣାପଡିଛି । କୋଚିନ୍ ସିପୟାର୍ଡରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଜାହାଜକୁ ଆନୁଷ୍ଠାନିକଭାବେ ନୌବାହିନୀରେ ସାମିଲ କରିବାର କାର୍ଯ୍ୟକ୍ରମ ରହିଛି ।
ଚାରିଥର ସଫଳ ସମୁଦ୍ର ପରୀକ୍ଷଣ କରାଯାଇଥିବାବେଳେ କୋଚିନ ସିପୟାର୍ଡ ଲିମିଟେଡ ପକ୍ଷରୁ ଜୁଲାଇ ୨୮ରେ ‘ଆଇଏନ୍ଏସ୍ ବିକ୍ରାନ୍ତ’କୁ ନୌବାହିନୀକୁ ହସ୍ତାନ୍ତର କରାଯାଇଛି । ୨୦ ହଜାର କୋଟି ଟଙ୍କାରେ ନିର୍ମିତ ଏହି ଜାହାଜରେ ମିଗ୍-୨୯କେ ଲଢୁଆ ବିମାନ, କାମୋଭ୍ ହେଲିକପ୍ଟର ଇତ୍ୟାଦି ମୁତୟନ କରାଯିବ ବୋଲି କୁହାଯାଉଛି। ବ୍ରିଟେନରୁ କିଣାଯାଇଥିବା ‘ହକ୍ୟୁଲସ୍’ ନାମକ ବିମାନବାହୀ ଜାହାଜର ନାମକୁ ‘ଆଇଏନ୍ଏସ୍ ବିକ୍ରାନ୍ତ’ ରଖାଯାଇଥିବାବେଳେ ଏହା ୧୯୬୧ରୁ ୧୯୯୭ ପର୍ଯ୍ୟନ୍ତ ଭାରତୀୟ ନୌବାହିନୀରେ କାର୍ଯ୍ୟରତ ଥିଲା । ତାହାର ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ନୂଆ ବିମାନବାହୀ ଜାହାଜର ନାମ ମଧ୍ୟ ‘ଆଇଏନ୍ଏସ୍ ବିକ୍ରାନ୍ତ’ ରଖାଯାଇଛି ।
ଏହି ଉତ୍ସବରେ ନୌବାହିନୀର ବରିଷ୍ଠ ଅଧିକାରୀଙ୍କ ସମେତ ଦେଶର ପ୍ରଥମ ବିମାନବାହୀ ଜାହାଜ ‘ଆଇଏନଏସ୍ ବିକ୍ରାନ୍ତ’ର ଅବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।




