Thu. Oct 15th, 2026

ବନ୍ଦ ହେବ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ର ‘ବେବି ପାଉଡର୍‌’। ଏବେ ‘ଟାଲ୍‌କମ୍‌’ ବଦଳରେ ମାର୍କେଟକୁ ଆସିବ ମକା ମଣ୍ଡରେ ତିଆରି ‘ବେବି ପାଉଡର୍‌’। ୨୦୨୩ରୁ ଏହି ପାଉଡର ମାର୍କେଟ ରେ ମିଳିବନି। ସମଗ୍ର ବିଶ୍ବରେ ‘ଟାଲ୍‌କମ୍‌’ରୁ ପ୍ରସ୍ତୁତ ‘ବେବି ପାଉଡର୍‌’ ବଦଳରେ ମକା ମଣ୍ଡରେ ତିଆରି ‘ବେବି ପାଉଡର୍‌’ ପସନ୍ଦ କରାଯାଉଛି। ଏଥିପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ଗୁରୁବାର ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ଆସିବା ପରେ ଚାହିଦା ହ୍ରାସ ପାଇବା ହେତୁ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ ୨୦୨୦ରୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନଡାରେ ‘ଟାଲ୍‌କମ୍‌’ ‘ବେବି ପାଉଡର୍‌’ ବିକ୍ରୟ ବନ୍ଦ ରଖିଥିଲା। ‘ଟାଲ୍‌କମ୍‌’ ପାଉଡର୍‌ ପ୍ରସ୍ତୁତି କରୁଥିବାରୁ କମ୍ପାନି ନାଁରେ ୩୮,୦୦୦ ମାମଲା ରୁଜୁ କରାଯାଇଥିଲା। ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ ଉତ୍ପାଦିତ ‘ଟାଲ୍‌କମ୍‌’ ସାମଗ୍ରୀରେ ଥିବା ‘କାର୍ସିନୋଜେନ୍‌’ (ଆଜ୍‌ବେଷ୍ଟସ୍‌ରେ ଥିବା ଉପାଦାନ) କର୍କଟ ରୋଗ ସୃଷ୍ଟି କରୁଛି ବୋଲି ଅଭିଯୋଗକାରୀମାନେ ଦର୍ଶାଇଥିଲେ। କିନ୍ତୁ, ‘ଟାଲ୍‌କମ୍‌’ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି ବ‌ୋଲି ଯାହା ଅଭିଯୋଗ ହୋଇଛି, ତାହା ବିଭ୍ରାନ୍ତିକର ବୋଲି ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କହୁଛି। କାରଣ ‘ଟାଲ୍‌କମ୍’ ନିରାପଦ ଏବଂ ‘ଆଜ୍‌ବେଷ୍ଟସ୍‌’ ରହିତ ବୋଲି ବହୁ ଦଶନ୍ଧିର ବୈଜ୍ଞାନିକ ପରୀକ୍ଷା ପରେ ‘ରେଗୁଲେଟରି’ ଅନୁମୋଦନ ମିଳିଥିଲା। ୧୮୯୪ରୁ ବିକ୍ରୟ ହୋଇ ଆସୁଥିବା ‘ଜନ୍‌ସନ୍‌’ ‘ବେବି ପାଉଡର୍‌’ ସମଗ୍ର ବିଶ୍ବରେ ପ୍ରସିଦ୍ଧି ଅର୍ଜନ କରିଛି।

Leave a Reply

Your email address will not be published. Required fields are marked *