Thu. Oct 15th, 2026

କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଉଭୟ ଜୀବନ ଏବଂ ମୃତ୍ୟୁ ଉପରବାଲା ହାତରେ ଥାଏ। ଯଦି ଜଣଙ୍କର ଆୟୁଷ ସରିଯାଇଥାଏ, ତେବେ ଛୋଟମୋଟ ଦୁର୍ଘଟଣାରେ ବି ତା’ର ମୃତ୍ୟୁ ହୋଇଯାଏ। କିନ୍ତୁ ଯଦି ଭାଗ୍ୟରେ ଜୀବନ ଥାଏ ତେବେ ସବୁଠାରୁ ବଡ ଦୁର୍ଘଟଣା ପରେ ବି ଜୀବନ ବଞ୍ଚିଯାଏ। ଇଂଲଣ୍ଡର କୋଲ୍ ଅଷ୍ଟିନ୍‌ଙ୍କ କ୍ଷେତ୍ରରେ ସେମିତି କିଛି ଦେଖିବାକୁ ମିଳିଛି।

ଏକ ଦୁର୍ଘଟଣାରେ କୋଲ୍ ଅଷ୍ଟିନ୍‌ଙ୍କ ଶରୀର ଦୁଇ ଖଣ୍ଡ ହୋଇଯାଇଥିଲା। ଏମିତି ପରିସ୍ଥିତିରେ କେହି କ’ଣ ଆଶା କରିପାରେ ଯେ ସେ ଜୀବନ ଫେରି ପାଇବ ବୋଲି! ସେହିପରି ତାଙ୍କ ବଞ୍ଚିବାର ସମ୍ଭାବନା ନଥିବା ଡାକ୍ତର କହିଥିଲେ। କିନ୍ତୁ କୋଲ୍ ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କରିଛନ୍ତି। ସେ କେବଳ ମୃତ୍ୟୁ ଉପରେ ବିଜୟ ପ୍ରାପ୍ତ କରି ନାହାଁନ୍ତି, ବରଂ ଆଜି ସେ ଜଣେ ସାଧାରଣ ବ୍ୟକ୍ତିଙ୍କ ପରି ନିଜ କାମକୁ କରିବା ଆରମ୍ଭ କରିଛନ୍ତି।

ଇଂଲଣ୍ଡର ଫର୍ଣ୍ଣେସରେ ରହୁଥିବା ୨୧ ବର୍ଷୀୟ କୋଲ୍ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଦୋଳିରୁ ଖସିଯିବା ପରେ ତାଙ୍କ ଶରୀର ପ୍ରାୟ ଦୁଇ ଖଣ୍ଡ ହୋଇଯାଇଥିଲା। ତାଙ୍କର ବଞ୍ଚିବାର ସମ୍ଭାବନା ନଥିବା ଡାକ୍ତର କହିଥିଲେ। କୋଲ୍ ୨୨ ଦିନ କୋମାରେ ବିତାଇଲେ। ଏହା ସହିତ ତାଙ୍କ ଶରୀରରେ ଅନେକ ଅସ୍ତ୍ରୋପଚାର ହୋଇଥିଲା।​ କିନ୍ତୁ ସେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଶେଷରେ ନିଜ ଗୋଡରେ ଠିଆ ହୋଇଥିଲେ। ସେ କେବଳ ଚାଲିବା ଆରମ୍ଭ କରି ନାହାନ୍ତି ବରଂ ତାଙ୍କ ଜୀବନ ରକ୍ଷା କରିଥିବା ଡାକ୍ତରୀ ଟିମ୍ ଦଳ ସହିତ କାମ କରିବାକୁ ଯାଉଛନ୍ତି।

କୋଲ୍ ଗତ ବର୍ଷ ଅଗଷ୍ଟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଦୋଳିରୁ ଖସିଯିବା ପରେ ତାଙ୍କ ଅଣ୍ଟା ତଳେ ଗଭୀର ଆଘାତ ଲାଗିଥିଲା। ତାଙ୍କ ଡାହାଣ ଗୋଡ଼ରେ ଗଭୀର ଫ୍ୟାକ୍ଚର ହୋଇଥିଲା ଏବଂ ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ତାଙ୍କୁ ତୁରନ୍ତ ଲଙ୍କାଶାୟରର ରୟାଲ ପ୍ରେଷ୍ଟନ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଦେଖିବା ପରେ ଡାକ୍ତର ତାଙ୍କ ବଞ୍ଚିବାର ସମ୍ଭାବନା ନଥିବା କହିଥିଲେ।

ତାଙ୍କ ଦୁର୍ଘଟଣାକୁ ନେଇ କୋଲ୍ କହିଛନ୍ତି ଯେ ସେ ଏକ ମେଳାକୁ ବୁଲିବାକୁ ଯାଇଥିଲେ। ସେଠାରେ ସେ ଦୋଳିରେ ବସିଥିଲେ। ଏହି ସମୟରେ ସେ ଦୋଳିରୁ ଖସିପଡିଥିଲେ। ସେ ଯେତେବେଳେ ଉଠିଲେ ସେତେବେଳେ ତାଙ୍କର କିଛି ବି ମନେ ନଥିଲା। ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ସେ ଆଉ କେବେ ଚାଲି ପାରିବେ ନାହିଁ। ଏହା ଜାଣି ସେ ଭାବିଲେ ଯେ ତାଙ୍କ ଜୀବନ ବୋଧହୁଏ ଶେଷ ହୋଇଗଲା। କିନ୍ତୁ ସେତେବେଳେ ସେ ଡାକ୍ତରମାନଙ୍କୁ ଭୁଲ ପ୍ରମାଣ କରିବାକୁ ସ୍ଥିର କରିଥିଲେ। ଆଜି କୋଲ୍ ପ୍ରକୃତରେ ଡାକ୍ତରମାନଙ୍କୁ ଭୁଲ୍ ପ୍ରମାଣିତ କରିଛନ୍ତି ଏବଂ ପୁନଃଜୀବନ ପାଇଛନ୍ତି।

Leave a Reply

Your email address will not be published. Required fields are marked *