Wed. Oct 14th, 2026

ଆଉ ଶୁଭିବନି ‘ନିଦଭରା ରାତି ମଧୁଝରା ଜହ୍ନ’।
ମଉଳି ଯାଇଛି ଷାଠିଏ ଓ ସତୁରି ଦଶକର ସେ ଜହ୍ନ।
ବିଶିଷ୍ଟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ର ଆଉ ନାହାନ୍ତି। ଗତ ରାତି ୨ଟା ୫ ମିନିଟ୍ ସମୟରେ କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଛି ବୋଲି ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ କିଛି ସମୟ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ହୃଦଘାତରେ ପରଲୋକ ହୋଇଛି।

ନିର୍ମଳା ମିଶ୍ର ଓଡ଼ିଆ ସିନେଜଗତର ଜଣେ ଲୋକପ୍ରିୟ ଗାୟିକା ଥିଲେ। ଷାଠିଏ ଓ ସତୁରି ଦଶକରେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରର ଗୀତରେ କଣ୍ଠଦାନ କରିଥିଲେ। ତାଙ୍କର ଜନପ୍ରିୟ ଗୀତ ମଧ୍ୟରେ ନିଦଭରା ରାତି ମଧୁଝରା ଜହ୍ନ, ମୋ ମନର ବୀଣାର ତାରେ., ଜୀବନ ଯମୁନାରେ ଜୁଆର ଉଠେରେ…., ମାୟା ଘେରା ମଧୁବନେ… ଯା ଯାରେ ଯା ମନପବନ ନଉକା., ମାୟାବିନି ଏଇ ରାତି…, ନା ମାରନା.., ଛାଡ଼ ଛାଡ଼ ମୋର ଅଞ୍ଚଳ., ହେମହାରିଣୀ ମଥାରମଣି…, ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ି ଉଡ଼ିକି…, ଢେଉ ଢେଉକା ପାହାଡ଼ ତଳେ., ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା., ଯୋଛନା ଲୁଚନା…, ସଞ୍ଜ ସକାଳେ ତୁମ ଛବି ‌…, ତୁମେ ଯଦି ସାଥୀ ….,ସୁଲସୁଲିଆ… ପ୍ରଭୁପଦ ତଳେ ପ୍ରଣତି ଢାଳେ.., ସପନ ବିଳାସୀ… ଓ ଏଇଚିକିମିକି ହସେ… ଆଦି। ସେ ଭୁନେଶ୍ବର ମିଶ୍ର, ବାଳକୃଷ୍ଣ ଦାସ, ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି ଓ ଶାନ୍ତନୁ ମହାପାତ୍ରଙ୍କ ପରି ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ କାମ କରିଥିଲେ। ସେ ପ୍ରାୟ ୨୦ଟି ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟିକା ହେବାର ସୌଭାଗ୍ୟପ୍ରାପ୍ତ କରିଥିଲେ। ତାଙ୍କ ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *