
ଋଷ-ୟୁକ୍ରେନ ଯୁଦ୍ଧରେ ଦିନକୁ ଦିନ ଏକ ରକ୍ତଭିଜା ଫର୍ଦ୍ଦ ଯୋଡି଼ ହୋଇଯାଉଛି। ଯୁଦ୍ଧ ଶାନ୍ତିକୁ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିଲା ଗ୍ରେନ ଏକ୍ସପର୍ଟ ଚୁକ୍ତି। ଯାହା ପରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲି ରହିଥିବା ସଂଘର୍ଷ ଶେଷ ହେବା ନେଇ କିଛି ମାତ୍ରାରେ ଆଶା ଦେଖା ଦେଇଥିଲା । ମାତ୍ର ଗୋଟିଏ ଦିନ ମଧ୍ୟରେ ରୁଷ ଏହି ଚୁକ୍ତିକୁ ଖିଲାପ କରି ୟୁକ୍ରେନର ଓଡେଶ ବନ୍ଦର ଉପରେ ମିସାଇଲ ଆକ୍ରମଣ କରିଛି । ଫଳରେ ଯୁଦ୍ଧ ବିରାମ ଆଶା କରିଥିବା ସାଧାରଣ ଜନତାଙ୍କୁ ଶକ୍ତ ଧକା ଲାଗିଛି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମୀର ଜେଲେନ୍ସକି କହିଛନ୍ତି ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କେବେ ବି ବିଶ୍ୱାସ କରି ହେବ ନାହିଁ । ଅବଶ୍ୟ ଏହି ମିସାଇଲ ଆକ୍ରମଣ ନେଇ ରୁଷ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ୟୁକ୍ରେନ ଓ ରୁଷରୁ ସାରା ବିଶ୍ୱକୁ ୩୦ ପ୍ରତିଶତ ଗହମ, ୨୯ ପ୍ରତିଶତ ଯ, ୧୫ ପ୍ରତିଶତ ମକା ଓ ୭୫ ପ୍ରତିଶତ ସୂର୍ଯ୍ୟମୂଖୀ ତେଲ ରପ୍ତାନୀ କରିଥାନ୍ତି । ଏହି ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଏବେ ଖାଦ୍ୟ ସଙ୍କଟ ଦେଖା ଦେଇଛି । ଏହା ବିଚାରକୁ ନିଆଯାଇ ଖାଦ୍ୟ ରପ୍ତାନୀ ଓ ଆମଦାନୀ ବେଳେ କେହି କାହା ଉପରେ ଆକ୍ରମଣ କରିବେ ନାହିଁ ବୋଲି ଚୁକ୍ତି ହୋଇଥିଲା । କିନ୍ତୁ ଓଡେଶ ବନ୍ଦର ଉପରେ ଏପରି ଆକ୍ରମଣ ପରେ ଯୁଦ୍ଧ ବିରତି ଉପରେ ପୁଣି ପ୍ରଶ୍ନ ଉଠିଛି।
