ଦ୍ରୌପଦୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା

ଦେଶର ପ୍ରଥମ ଅଦିବାସୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଦ୍ରୌପଦୀ ମୁର୍ମୁ । ତୃତୀୟ ରାଉଣ୍ଡ ଗଣତିରେ ଫଳାଫଳ ସ୍ପଷ୍ଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରୌପଦୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଦ୍ରୌପଦୀଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତିପ୍ରଧାନମନ୍ତ୍ରୀ ମୁର୍ମୁଙ୍କୁ ଭେଟିବା ପୂର୍ବରୁ ଟ୍ବିଟ କରି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଦ୍ରୌପଦୀ ଜନଜାତି ସମ୍ପ୍ରଦାୟରୁ ଆସିଥିବା ବେଳେ ନିଜ ସଂଘର୍ଷ ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ସାଧାରଣ ନାଗରିକଙ୍କ ପାଇଁ ଆଶାର ରେଖା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କୁ ସମର୍ଥନ ଜଣାଇଥବା ସମସ୍ତ ସାଂସଦ ଓ ବିଧାୟକଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଭୁଲିନାହାନ୍ତି ପ୍ରଧାନମନ୍ତ୍ରୀ । ମୁର୍ମୁଙ୍କ ବିଜୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁର୍ମୁଙ୍କ ପ୍ରତିଦ୍ବନ୍ଦୀ ତଥା ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବହୁ କେନ୍ଦ୍ରମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଏକାଧିକ ମୁଖ୍ୟମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।  ବିଶ୍ବର ସର୍ବବୃହତ ଗଣତନ୍ତ୍ରର ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ଭାବେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଳଙ୍କୃତ ହେବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ ।

You May Also Like

More From Author

+ There are no comments

Add yours