
ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ମତଦାନ ହୋଇଛି। ନିଜ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ରାଜନୈତିକ ଦଳ ନିଜ ବିଧାୟକ ଏବଂ ସାଂସଦଙ୍କୁ କହିଥିଲେ। ହେଲେ ଉତ୍ତରପ୍ରଦେଶ, ଗୁଜରାଟ, ଓଡିଶାରୁ ନେଇ ଆସାମ ପର୍ଯ୍ୟନ୍ତ କ୍ରସ ଭୋଟିଂ ଦେଖିବାକୁ ମିଳିଛି। ୟୁପିର ବରେଲୀରୁ ସମାଜବାଦୀ ପାର୍ଟି ବିଧାୟକ ଶହଜିଲ ଇସଲାମ ତ ଓଡିଶାରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ୍ ଦେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ଶହଜିଲ ଇସଲାମ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିବା ପରେ ଚର୍ଚ୍ଚାରେ ରହିଥିଲେ। ତାଙ୍କ ସଂପତ୍ତି ଉପରେ ବୁଲଡୋର ମଧ୍ୟ ଚଢା ଯାଇଥିଲା। ଗୁଜରାଟରେ ଏନସିପି ଏବଂ ଆସାମରେ କଂଗ୍ରେସ ବିଧାୟକ ଦ୍ଵାରା କ୍ରସ ଭୋଟିଂ ହୋଇଥିବା ଦାବି କରାଯାଉଛି।
କ୍ରସ୍ ଭୋଟିଂ ହେବା ବିରୋଧୀ ଦଳ ପାଇଁ ନିଶ୍ଚିତ ରୂପେ ଝଟକା। ଏଥିରୁ ଜଣା ପଡୁଛି ଯେ, ପ୍ରାୟତଃ ସବୁ ବିରୋଧୀ ଦଳ ପ୍ରତି ନେତା ଅସନ୍ତୁଷ୍ଟ ଅଛନ୍ତି ଏବଂ ପାର୍ଟିରେ ଦଳୀୟ କନ୍ଦଳ ରହିଛି। ଏବେ ଦେଖିବା ବାକି ରହିଲା ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି, ସେମାନଙ୍କ ପ୍ରତି ଦଳ କେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।
ଉତ୍ତର ପ୍ରଦେଶ
ୟୁପିର ବରେଲୀରୁ ସମାଜବାଦୀ ପାର୍ଟି ବିଧାୟକ ଶହଜିଲ ଇସଲାମ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ୍ ଦେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ଶହଜିଲ ଇସଲାମ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିବା ପରେ ଚର୍ଚ୍ଚାରେ ରହିଥିଲେ।ତାଙ୍କ ସଂପତ୍ତି ଉପରେ ବୁଲଡୋର ମଧ୍ୟ ଚଢା ଯାଇଥିଲା।
ଗୁଜରାଟ
ଗୁଜରାଟରେ ଶରଦ ପାଓ୍ଵାରଙ୍କ ପାର୍ଟି ଏନସିପି ବିଧାୟକ କନ୍ଧାଲ ଏସ ଜାଡେଜା ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ସେ ଖୋଦ୍ ମୁର୍ମୁଙ୍କୁ ଭୋଟ୍ ଦେଇଥିବା କହିଛନ୍ତି।
ଓଡିଶା
ରାଜ୍ୟରେ କଂଗ୍ରେସର ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ସେ କହିଛନ୍ତି ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। ମୁଁ ନିଜର ଅନ୍ତରଆତ୍ମା କଥା ଶୁଣିଲି, ଯିଏ ମୋତେ ନିଜ ମାଟି ପାଇଁ କିଛି କରିବାକୁ କହିଛି। ଏଥିପାଇଁ ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛି। କୁହାଯାଏ, ମୋକିମଙ୍କୁ ଓଡିଶା କଂଗ୍ରେସର ସଭାପତି ନକରାଯିବା ନେଇ ସେ ଅସନ୍ତୁଷ୍ଟ ଅଛନ୍ତି।
ଆସାମ
ଏଆଇୟୁଡିଏଫର ବିଧାୟକ କରିମୁଦ୍ଦୀନ ବାରଭୁଇଆ ଦାବି କରିଛନ୍ତି, ଆସାମରେ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିଛନ୍ତି। କରିମୁଦ୍ଦୀନଙ୍କ ମୁତାବକ ରବିବାର କଂଗ୍ରେସ ବୈଠକ ଡକାଇଥିଲା। କେବଳ ଜିଲ୍ଲା ଅଧ୍ୟକ୍ଷ ହିଁ ମିଟିଂରେ ପହଞ୍ଚିଥିଲେ। ଏଥିରୁ ସ୍ପଷ୍ଟ ଯେ, କଂଗ୍ରେସର ବିଧାୟକ କ୍ରସ ଭୋଟିଂ କରିଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି, କଂଗ୍ରେସର ୨୦ରୁ ଅଧିକ ବିଧାୟକ କ୍ରସ ଭୋଟିଂ କରିଛନ୍ତି