ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ଭୋଟର ମୂଲ୍ୟ କେତେ?

ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ୨୪ରେ ଶେଷ ହେବାକୁ ଯାଉଛି । ଏହାର ଗୋଟିଏ ଦିନ ପରେ ଦେଶର ନୂଆ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବେ । ଜୁନ ଏବଂ ଜୁଲାଇ ମାସରେ ଦେଶର ୧୫ତମ ରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ନିର୍ବାଚନ ପାଇଁ ସାଧାରଣ ଲୋକ ଭୋଟ ଦେଇନଥାନ୍ତି । ଲୋକଙ୍କ ବଦଳରେ ଲୋକଙ୍କ ଦ୍ୱାରା ନିର୍ବାଚିତ ଲୋକପ୍ରତିନିଧି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେଇଥାନ୍ତି । ବିଧାୟକ ତଥା ରାଜ୍ୟସଭା ଓ ଲୋକସଭାର ସାଂସଦଙ୍କ ଦ୍ୱାରା ଭାରତର ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି ।

ରାଷ୍ଟ୍ରପତି ନିର୍ବାଚନ କେଉଁ ସମୟରେ ହୋଇଥାଏ?ଦେଶର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି, ନିର୍ବାଚନ ଅଧିନିୟମ ୧୯୫୨ର ଧାରା ୪ର ଉପଧାରା ୩ ଅନୁସାରେ ହୋଇଥାଏ । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେବାର ୬୦ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ଏଥିପାଇଁ ଅଧିସୂଚନା ଜାରିକରିଥାନ୍ତି । ପୂରା ପ୍ରକ୍ରିୟା ଏହିଭଳି ହୋଇଥାଏ କି ଯେଉଁ ଦିନ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହୋଇଥାଏ ତାର ଗୋଟିଏ ଦିନ ପରେ ହିଁ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ନେଇଥାନ୍ତି । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨୪ ଅଧିନରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନକୁ ନିର୍ବାଚନ ଆୟୋଗ କରାଇଥାନ୍ତି ।

କେଉଁମାନେ ଲଢିପାରିବେ ରାଷ୍ଟ୍ରପତି ନିର୍ବାଚନ?

ସମ୍ବିଧାନର ଧାରା ୫୮ ଅନୁସାରେ ଜଣେ ବ୍ୟକ୍ତି ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ଭାରତର ନାଗରିକ ହୋଇଥିବା ଦରକାର । ବ୍ୟକ୍ତିଙ୍କ ବୟସ ୩୫ ବର୍ଷରୁ ଅଧିକ ହେବା ଦରକାର । ଲୋକସଭାର ଜଣେ ସଦସ୍ୟ ହେବାର ତାଙ୍କର ସମସ୍ତ ଯୋଗ୍ୟତା ରହିଥିବା ଦରକାର । ସେ ଭାରତ ସରକାର କିମ୍ବା ରାଜ୍ୟ ସରକାର, ତାଛଡା ଅନ୍ୟ କୌଣସି ସଂସ୍ଥାର ଲାଭଜନକ ପଦବୀରେ ନଥିବା ଦରକାର । ସେ ଜଣେ ସରକାରୀ ଚାକିରିଆ ମଧ୍ୟ ହୋଇନଥିବେ । ଏହା ଛଡା ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ଅନ୍ୟ ସର୍ତ୍ତପୂରା କରୁଥିବା ଦରକାରା

ନାମାଙ୍କନ ଫର୍ମରେ ରାଷ୍ଟ୍ରପତି ହୋଇଥିବା ପ୍ରାର୍ଥୀ ସବୁଠାରୁ କମ ୫୦ ବିଧାୟକ କିମ୍ବା ସାଂସଦଙ୍କ ସମର୍ଥନ ରହିବା ଦରକାର । ଯଦି ଆପଣ ବି ନିର୍ବାଚନ ଲଢିବାକୁ ଚାହିଁବେ ତେବେ ଆପଣଙ୍କୁ ମଧ୍ୟ ପ୍ରସ୍ତାବକ କିମ୍ବା ଅନୁମୋଦକ ଭାବେ ସମର୍ଥନର ଆବଶ୍ୟକତା ରହିଛି । ଏହା ପରେ ଏହି ସମସ୍ତଙ୍କର ତାଲିକା ନିର୍ବାଚନ ପାଇଁ ଥିବା ରିଟର୍ଣ୍ଣିଂ ଅଫିସରଙ୍କୁ ଦେବାକୁ ପଡିବ । ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କୁ ୧୫ ହଜାର ଟଙ୍କା ଜମାକରିବାକୁ ପଡିଥାଏ ।

ରାଷ୍ଟ୍ରପତି ପଦର ଅବଧି କେତେ ସମୟ?

ଭାରତର ସମ୍ବିଧାନର ଧାରା ୫୬ ଅନୁସାରେ ରାଷ୍ଟ୍ରପତି ପଦଗ୍ରହଣ କରିବାର ଦିନଠାରୁ ୫ ବର୍ଷ ଯାଏ ସେହିପଦରେ ରହିଥାନ୍ତି । ଯଦି ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ କେହି ନିର୍ବାଚିତ ହୋଇନଥାନ୍ତି ତେବେ ସେ ନିର୍ବାଚିତ ହେବା ଯାଏ ସେହି ପଦରେ ରହିବେ । ତେଣୁ ଦେଶରେ ସବୁବେଳେ ରାଷ୍ଟ୍ରପତି ରହିବାର ଆବଶ୍ୟକତା ରହିଛି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ କେଉଁମାନେ ଦେଇଥାନ୍ତି ଭୋଟ?ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦର ସଦସ୍ୟ ଏବଂ ଉଭୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଧାୟକ ମାନେ ଭୋଟଦେଇଥାନ୍ତି । ଲୋକସଭାର ୫୪୩ ଏବଂ ରାଜ୍ୟସଭାର ୨୩୩ ସାଂସଦ ଭୋଟଦେଇଥାନ୍ତି । ବର୍ତ୍ତମାନ ଲୋକସଭାରେ ୦୩ ଓ ରାଜ୍ୟସଭାର ୧୬ ଆସନ ଖାଲି ରହିଛି । ତେବେ ଜୁଲାଇରେ ନିର୍ବାଚନ ସମୟରେ ଏହି ସବୁ ଆସନ ପୂର୍ଣ୍ଣ ହୋଇସାରିଥିବ । ଏହା ଛଡା ଦେଶର ମୋଟ ୪୧୨୦ ବିଧାୟକ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭୋଟଦେଇଥାନ୍ତି । ଦିଲ୍ଲୀ ଓ ପୁଡୁଚେରୀରେ ବିଧାୟକ ମଧ୍ୟ ଭୋଟଦେଇଥାନ୍ତି ।

ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ଭୋଟର ମୂଲ୍ୟ କେତେ?

ମୋଟ ୭୦୮ ସାଂସଦ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରନ୍ତି । ଲୋକସଭାରେ ମୋଟ ୫୪୫ ସଦସ୍ୟ ଥିବା ବେଳେ ସେଥିରୁ ୨ ଜଣ ଲୋହିତ ଭାରତୀୟ ସଦସ୍ୟ ରହିଛନ୍ତି । ତେବେ ଏହି ୨ ସଦସ୍ୟ ନିର୍ବାଚନରେ ଭୋଟ ଦିଅନ୍ତି ନାହିଁ । ତେଣୁ ୫୪୩ ସାଂସଦ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ତାଙ୍କର ଭୋଟର ମୂଲ୍ୟ ୭୦୮ ରହିଛି । ଏହା ସମ୍ବିଧାନ ଅନୁସାରେ ପୂର୍ବ ନିର୍ଦ୍ଧାରିତ ହୋଇଥାଏ । ସେହିଭଳି ରାଜ୍ୟସଭାର ୨୪୫ ସାଂସଦଙ୍କ ମଧ୍ୟରୁ ୧୨ ଜଣ ମନୋନୀତ ସଦସ୍ୟ ରହିଥାନ୍ତି । ତେଣୁ ତାଙ୍କୁ ମଧ୍ୟ ଭୋଟଦେବାର ଅଧିକାର ନାହିାଁ

ବିଧାୟକଙ୍କ ଭୋଟର ମୂଲ୍ୟ କେତେ?

ସେହିଭଳି ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ଦେଶର ୪୧୨୦ ବିଧାୟକଙ୍କ ଭୋଟର ମୂଲ୍ୟ ରହିଥାଏ । ରାଜ୍ୟ ଅନୁସାରେ ବିଭିନ୍ନ ରାଜ୍ୟର ଭୋଟର ମୂଲ୍ୟ ଅଲଗା ଅଲଗା ରହିଥାଏ । ୧୯୭୧ ଜନଗଣନା ଅନୁସାରେ ସମସ୍ତ ରାଜ୍ୟର ଲୋକସଂଖ୍ୟା ହିସାବରେ ନିର୍ଦ୍ଧାରିତ ହୋଇଥାଏ । ଯଦି ରାଜ୍ୟର ଆମେ ଉଦାହରଣ ନେବା, ଓଡିଶାରେ ମୋଟ ୧୪୭ ବିଧାୟକ ରହିଛନ୍ତି । ୧୯୭୧ ମସିହାରେ ରାଜ୍ୟର ଜନସଂଖ୍ୟା ୨ କୋଟି ୧୯ ଲକ୍ଷ ୪୪ ହଜାର୬୧୫ । ତେଣୁ ଏହି ଆଧାରରେ ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ୧୪୯ ଧରାଯିବ । ରାଜ୍ୟରେ ସମସ୍ତ ବିଧାୟକଙ୍କ ଭୋଟର ମୂଲ୍ୟ ୨୧ ହଜାର ୯୦୩ ରହିଛି । ଉତ୍ତରପ୍ରଦେଶରେ ବିଧାୟକଙ୍କ ଭୋଟର ମୂଲ୍ୟ ସର୍ବାଧିକ ୨୦୮ ଥିବା ବେଳେ ସିକ୍କିମର ବିଧାୟକଙ୍କ ଭୋଟର ମୂଲ୍ୟ ସର୍ବନିମ୍ନ ୭ ରହିଛି ।

୭୦୮ ସାଂସଦଙ୍କ ଭୋଟମୂଲ୍ୟ ୫ ଲକ୍ଷ ୪୯ ହଜାର ୪୦୮ ଥିବା ବେଳେ ୪୧୨୦ ବିଧାୟକଙ୍କ ଭୋଟର ମୂଲ୍ୟ ୫ ଲକ୍ଷ ୪୯ ହଜାର ୪୯୫ । ଅର୍ଥାତ ଉଭୟ ଭୋଟର ମୂଲ୍ୟ ୧୦ ଲକ୍ଷ ୯୮ ହଜାର ୯୦୩ । ଯେଉଁ ପ୍ରାର୍ଥୀ ୫୧ ପ୍ରତିଶତ ଭୋଟ ପାଇଥାନ୍ତି ସେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି ।

ଗତ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ

ଗତ ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ବିଜୟୀ ହୋଇଥିଲେ । ସେ ୟୁପିଏ ପ୍ରାର୍ଥୀ ମୀରା କୁମାରଙ୍କୁ ପରାସ୍ତ କରି ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । କୋବିନ୍ଦଙ୍କୁ ମୋଟ ୭ ଲକ୍ଷ ୨ ହଜାର ୪୪ ମୂଲ୍ୟର ମତ ମିଳିଥିଲା । ସେହିଭଳି ମୀରା କୁମାରଙ୍କୁ ୩ଲକ୍ଷ ୬୭ ହଜାର ୩୧୪ ମୂଲ୍ୟର ମତ ମିଳିଥିଲା । ଭୋଟ ପ୍ରତିଶତକୁ ଦେଖିଲେ କୋବିନ୍ଦଙ୍କପ ୬୫.୬୫ ପ୍ରତିଶତ, ମୀରାଙ୍କୁ ୩୪.୩୫ ପ୍ରତିଶତ ଭୋଟ ମିଳିଥିଲା । ଅନେକ ରାଜ୍ୟରେ କୋବିନ୍ଦଙ୍କୁ ଭୋଟ ମିଳିଥିଲା ।

You May Also Like

More From Author

+ There are no comments

Add yours