Thu. Oct 15th, 2026

କ୍ୟାନସର ଏମିତି ଏକ ରୋଗ , ଯେଉଁଥିରେ ଭଲ ହେବା ପାଇଁ ନା ଅଛି ଔଷଧ ନା ଅଛି ଗ୍ୟାରେଣ୍ଟି। କ୍ୟାନସର ପୀଡ଼ିତ ହୋଇଥିବା ବ୍ୟକ୍ତି ପାଇଁ ଶେଷ ଆଶା ହେଉଛି ଡାକ୍ତରଙ୍କ ଚିକିତ୍ସା । ତେବେ ଡାକ୍ତରଙ୍କ ଚିକିତ୍ସାରେ ବି ଗ୍ୟାରେଣ୍ଟି ନଥାଏ କି ରୋଗୀ ଭଲ ହେବ କି ନାହିଁ। ହେଲେ ଏବେ କିନ୍ତୁ ସାରା ବିଶ୍ୱ ଡାକ୍ତରୀ ବିଜ୍ଞାନ ପାଇଁ ଏକ ଖୁସି ଖବର। ଯାହା ଡାକ୍ତରୀ ବିଜ୍ଞାନର ଏକ ଚମତ୍କାର ବୋଲି କୁହାଯାଇ ପାରେ। ଆଉ ଏହି ସଫଳତା ଲକ୍ଷ ଲକ୍ଷ ଲୋକଙ୍କ ମୁହଁରେ ହସ ଫୁଟାଇପାରେ । କାରଣ ଏମିତି ଏକ ଅବିଶ୍ୱସନୀୟ ଚମତ୍କାର ହୋଇଛି, ଯାହା କି କ୍ୟାନସର ରୋଗୀଙ୍କ ମନୋବଳ ବୃଦ୍ଧି କରିବ । ନ୍ୟୁୟର୍କରେ ରେକ୍ଟାଲ କ୍ୟାନସରରେ ପୀଡିତ କିଛି ରୋଗୀଙ୍କ ଉପରେ ପରୀକ୍ଷାମୂଳକ ଭାବେ ଏକ ଔଷଧର ପ୍ରୟୋଗ କରାଯାଇଥିଲା । ୧୮ ଜଣ ରେକ୍ଟାଲ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଦିଆଯାଇଥିଲା ସେହି ଏକା ଏକା ଔଷଧ । ପରୀକ୍ଷା ମୂଳକ ଭାବେ କରାଯାଇଥିଲା ଚିକିତ୍ସା କିନ୍ତୁ ୬ ମାସର ଚିକିତ୍ସା ପରେ ଏହାର ଫଳାଫଳ ଥିଲା ଅତି ଚମତ୍କାର ହୋଇଛି । ଆଉ ଏହି ଚିକିତ୍ସାରେ ସମସ୍ତ ରୋଗୀ କ୍ୟାନସର ମୁକ୍ତ ହୋଇଛନ୍ତି।


ତେବେ ସୂଚନା ଅନୁଯାୟୀ ସମସ୍ତ କ୍ୟାନସର ପୀଡ଼ିତ ଙ୍କୁ ଦୋସ୍ତାରଲିମାବ ନାମକ ଏକ ଔଷଧ ଦିଆଯାଇଥିଲା । ଆଉ ୬ ମାସ ପରେ ସବୁ ରୋଗୀଙ୍କ ଟ୍ୟୁମର ଉଭେଇଯାଇଥିଲା । ଏହା ଥିଲା ଏକ ଛୋଟ କ୍ଲିନିକାଲ ଟ୍ରାଏଲ୍ । ଦୋସ୍ତାରଲିମାବ ହେଉଛି ଏକ ପରୀକ୍ଷାଗାର ପ୍ରସ୍ତୁତ ଔଷଧ କଣିକା ଯାହା, ମାନବ ଶରୀରରେ ଆଂଟିବଡି ଭାବେ କାମ କରେ । ତେବେ ଏହି ଔଷଧ ପ୍ରୟୋଗ ଦ୍ବାରା ସବୁ ରୋଗୀ ସୁସ୍ଥ ହୋଇଯାଇଥିଲେ । କ୍ୟାନସର ରୋଗର ଇତିହାସରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇଛି ବୋଲି ନ୍ୟୁୟର୍କର ମେମୋରିଆଲ ସ୍ଲୋଆନ କେଟେରିଙ୍ଗ କ୍ୟାନସର ସେଣ୍ଟରର ଡକ୍ଟର ଲୁଇସ ଏ. ଡିଆଜ କହିଛନ୍ତି ।
କ୍ୟାନସର ଏକ ମାରାତ୍ମକ ବ୍ୟାଧି । ପ୍ରତିବର୍ଷ କ୍ୟାନସରରେ କୋଟିଏରୁ ଅଧିକ ଲୋକ ପ୍ରାଣ ହରାଉଥିବା ବେଳେ ଏହି ପରୀକ୍ଷଣ ରୋଗୀଙ୍କ ମୁହଁରେ ହସ ଫୁଟାଇ ପାରିବ। ତେବେ ଏହି ଔଷଧ ଟି ଏକ ନିର୍ଦ୍ଦିଷ୍ଟ କ୍ୟାନସର ରୋଗ ପାଇଁ ଉଦ୍ଦିଷ୍ଟ ଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *