ସଂଘ ସ୍ଥିର,ଜାତିରେ ପରିବର୍ତ୍ତନ,ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନରେ ବିଜେପିର ସମୀକରଣ


ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପିର ପସନ୍ଦକୁ ନେଇ ଚର୍ଚ୍ଚା ଜୋରଦାର । 2024 ନିର୍ବାଚନ ପୂର୍ବରୁ ରାଜନୀତି ଓ ଜାତିକୁ ନେଇ ଖୁବ ସତର୍କତାର ସହ ଦଳ ରଣନୀତି ପ୍ରସ୍ତୁତ କରିଛି ।

ଛତିଶଗଡର ଜଣେ ଆଦିବାସୀ ନେତା, ମଧ୍ୟପ୍ରଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ର ରାଜନେତା ଏବଂ ରାଜସ୍ଥାନରେ ପ୍ରଥମ ଥର ବିଧାୟକ ଜଣେ ବ୍ରାହ୍ମଣ – ତିନୋଟି ପ୍ରମୁଖ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ବିଜେପିର ଏମିତି ଚୟନ,ସାଧାରଣ ନୁହେଁ । ଏହା ଭାରତୀୟ ଜନତା ଦଳର ବ୍ୟାପକ ଜାତି ସନ୍ତୁଳନ ସୂତ୍ରକୁ ପ୍ରତିଫଳିତ କରୁଛି । ଏହି ତିନି ନାଁ ଆର.ଏସ.ଏସ ଅର୍ଥାତ ବିଜେପିର ଆଦର୍ଶବାଦୀ ରାଷ୍ଟ୍ରିୟ ସଂଗଠନ ସହ ଜଡିତ । ସେହିଭଳି ତିନି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଚୟନ ବେଳେ ମଧ୍ୟ ଜାତିଗତ ରାଜନୀତିକୁ ଖୁବ ସତର୍କତାର ସହ କରାଯାଇଥିବା ଚର୍ଚ୍ଚା ଥମୁନି । ରାଜସ୍ଥାନରେ ସାଙ୍ଗନେର ବିଧାୟକ ଭଜନ ଲାଲ ଶର୍ମା, ଜଣେ ବ୍ରାହ୍ମଣ ସଂପ୍ରଦାୟର। ତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପଟେ ଜୟପୁରର ରାଜପରିବାରର ସଦସ୍ୟ ଦିୟା କୁମାରୀ ,ଅନୁସୂଚିତ ଜାତି ବର୍ଗର ନେତା ପ୍ରେମଚନ୍ଦ୍ର ବଇରାୱାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ଦଳ । ସିନ୍ଧି ନେତା ବାସୁଦେବ ଦେବନାନୀ ରାଜସ୍ଥାନ ବିଧାନସଭାର ବାଚସ୍ପତି ହୋଇଛନ୍ତି ।


ମଧ୍ୟପ୍ରଦେଶର ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବା ସମସ୍ତଙ୍କୁ ଚକିତ କରିଥିଲା । ଓବିସି ବର୍ଗର ତୁଙ୍ଗ ନେତା ଭାବେ ଜମାଶୁଣା ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ପଛରେ ବି ଜାତିଗତ ରାଜନୀତି ଓ ପୋଷ୍ଟ ଇଲେକ୍ସନ ପ୍ଲାନ ସ୍ପଷ୍ଟ ଜଣାପଡୁଥିବା ଚର୍ଚ୍ଚା । କାରଣ ମଧ୍ୟପ୍ରଦେଶ ରାଜ୍ୟ ଜନସଂଖ୍ୟାର 48 ପ୍ରତିଶତ ଓବିସି ବର୍ଗର । ଏପଟେ ଦଳିତ ବର୍ଗର ନେତା ଜଗଦୀଶ ଦେବଡ଼ା ଓ ବ୍ରାହ୍ମଣ ବର୍ଗର ରାଜେନ୍ଦ୍ର ଶୁକ୍ଲା ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ସେହିଭଳି ପୂର୍ବତନ ନେତା ନରେନ୍ଦ୍ର ସିଂ ତୋମାର ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି । ଛତିଶଗଡରେ ଅଣଷଠି ବର୍ଷୀୟ ଆଦିବାସୀ ନେତା ବିଷ୍ଣୁ ଦେଓ ସାଏ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି । ଛତିଶଗଡର ଓବିସି ଗ୍ରୁପର ବଡ ସାହୁ ସଂପ୍ରଦାୟରୁ ଆସିଥିବା ଅରୁଣ ସାଓ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେହିଭଳି ବ୍ରାହ୍ମଣ ନେତା ବିଜୟ ଶର୍ମା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ରାଜପୁତ ପରିବାରରୁ ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ବାଚସ୍ପତି ଭାବେ ମନୋନୀତ କରାଯାଇଛି । ବିଜେପିର ତିନି ରାଜ୍ୟରେ ହ୍ୟାଟ୍ରିକ ବିଜୟ,ମୁଖ୍ୟମନ୍ତ୍ରୀ ଚୟନରେ କୌଶଳରୁ ଗୋଟିଏ କଥା ସ୍ପଷ୍ଟ । ବିଜେପି ସବୁବର୍ଗର ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ସ୍ୱତନ୍ତ୍ର କୌଶଳ ଆପଣେଇଛି ।

You May Also Like

More From Author

+ There are no comments

Add yours