
ଗାଡକଣ ସୈନିକ ସ୍କୁଲ ଠାରେ ଥିବା ଡମ୍ପିଂ ୟାର୍ଡକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ଚତୁର୍ଥ ଦିନରେ ପହଞ୍ଚିଲା ବିଜେପିର ସତ୍ୟାଗ୍ରହ । ଦଳର ସତ୍ୟାଗ୍ରହରେ ସାମିଲ ହେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଡ଼ମ୍ପିଂ ୟାର୍ଡ ସମସ୍ୟାର ସ୍ଥାୟୀ ସମାଧାନ ନହେବା ଯାଏଁ ବିଜେପି ନିର୍ଣ୍ଣାୟକ ଲଢେଇ କରିବ ବୋଲି ଚେତାବନୀ ଦେଇଛନ୍ତି ମନମୋହନ | ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି । ରାଜ୍ୟ ସରକାର ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳିବାକୁ ଦେବ ନାହିଁ ବିଜେପି । ଓଡ଼ିଶା ସରକାର ନିଜେ ଅସୁସ୍ଥ ହୋଇ ଭୁବନେଶ୍ଵର ଲୋକଙ୍କୁ ଅସୁସ୍ଥ କରୁଛନ୍ତି ।ଖଣ୍ଡଗିରି ପାହାଡ ଠାରୁ ଉଚ୍ଚ ହେଲାଣି ଅଳିଆ ପାହାଡ ।ଡେଙ୍ଗୁରେ ଏତେ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାର ମୁଖ୍ୟ କାରଣ ହେଉଛି ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ।

ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ପରେ ଭୁବନେଶ୍ୱର ଜିଲ୍ଲା ତରଫରୁ ଜାରୀ ରହିଥିବା ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ସାମଲ କହିଛନ୍ତି ଯେ; ସତ୍ୟାଗ୍ରହକୁ ୪ଦିନ ବିତିଲେବି ରାଜ୍ୟ ସରକାର ନିଦାବିଷ୍ଣୁ । ଓଡ଼ିଶାରେ ସରକାର ନାହିଁ । ମୁଖ୍ୟମନ୍ତ୍ରୀ ଦୃଶ୍ୟମାନ ହେଉନାହାନ୍ତି । ଭଗବାନ ଭରସାରେ ଓଡ଼ିଶାରେ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯଦି ଶାସନ ଚଳାଇବାରେ ସକ୍ଷମ ନୁହନ୍ତି, ତାହେଲେ ଗାଦି ଛାଡିଦେବା ଉଚିତ୍ । ଯେଉଁ ରାଜ୍ୟ ସରକାରଙ୍କ ନିଜ ସ୍ୱାସ୍ଥ୍ୟ ଖରାପ୍, ସେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଚିନ୍ତା କରିବାରେ ଅକ୍ଷମ । ଭୁବନେଶ୍ୱରଠାରୁ ଦେଶର ଛୋଟିଆ ସହରମାନଙ୍କରେ ସୁବ୍ୟବସ୍ଥିତ ଭାବେ “ବର୍ଜ୍ୟ ବସ୍ତୁ ପରିଚାଳନା” କରାଯାଇ ସହରକୁ ସଫା ସୁତୁରା ପରିବେଶ ପ୍ରଦାନ କରାଯାଉଛି । ମାତ୍ର ସ୍ମାର୍ଟ ସିଟିର ଆଖ୍ୟା ପାଇଥିବା ରାଜଧାନୀ ଭୁବନେଶ୍ୱରର ମଧ୍ୟବର୍ତୀ ଅଂଚଳରେ ଅଳିଆ ଗଦାର ପାହାଡ ସୃଷ୍ଟି କରାଯାଇ ପରିବେଶକୁ ଦୁଷିତ ଓ ଗନ୍ଧମୟ କରାଯାଉଛି । ନିଆଁରେ ଗଛ ପୋଡି ହେବାର ଜାଣିଥିଲି, କିନ୍ତୁ ଦୁଷିତ ଅଳିଆ ଓ ପରିବେଶ କାରଣରୁ ଗଛ ପୋଡି ହେବା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା । ଦୁଷିତ ଓ ଗନ୍ଧମୟ ପରିବେଶ କାରଣରୁ ସ୍ଥାନୀୟ ଅଂଚଳରେ ଚର୍ମ, ଶ୍ୱାସ ଭଳି ବିଭିନ୍ନ ରୋଗ ବ୍ୟାପକ ଭାବେ ବଢିଚାଲିଛି । ଅଳିଆ ଅବର୍ଜନାପୂର୍ଣ୍ଣ ପାହାଡର ଦୁର୍ଗନ୍ଧ ଧୀରେ ଧୀରେ ସମଗ୍ର ରାଜଧାନୀ ତଥା ଏହାର ଆଶ୍ୱପାଶ୍ୱର୍କୁ ବ୍ୟାପିଗଲାଣି । ଘରୁ ବାହାରିବା ଅସହ୍ୟ ହୋଇପଡିଲାଣି । ଆଖପାଖ ମନ୍ଦିରକୁ ଭକ୍ତ ଯାଉନାହାନ୍ତି । ଶିକ୍ଷାନୁଷ୍ଠାନ, ଡାକ୍ତରଖାନାକୁ ଆସୁଥିବା ଛାତ୍ରଛାତ୍ରୀ ଓ ରୋଗୀ ହନ୍ତସନ୍ତ ହେଉଛନ୍ତି । ବୃଦ୍ଧବୃଦ୍ଧାଙ୍କ ସମେତ ସମସ୍ତଙ୍କ ଜୀବନ ଅଭିଶପ୍ତ ହୋଇଲାଣି । ରାଜ୍ୟ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ନାକରେ ହାତ ଦେଇ, ମୁହଁରେ ମାସ୍କ ପିନ୍ଧି ବୁଲୁଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ସାମଲ କହିଛନ୍ତି । ‘ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାରର ପାହାଡ’ ରାଜ୍ୟର ଶାସନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିସାରିଛି, ଯାହାକି ସାଧାରଣ ଜନତାଙ୍କୁ ଅତ୍ୟବ୍ୟସ୍ତ କରିସାରିଲାଣି । ଗୋଟିଏ ପଟେ ରାଜଧାନୀରେ ବିଏମସି ପ୍ରଶାସନ ସ୍ଥାଣୁ ପାଲଟି ସାରିଥିବାବେଳେ ଅନ୍ୟ ପଟେ ରାଜ୍ୟ ସରକାର ଅନ୍ଧ, ମୁକ, ବଧିର ପାଲଟିଛନ୍ତି । ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଏବଂ ଏହି ଆନ୍ଦୋଳନ ପ୍ରତି ପୂର୍ଣ୍ଣ ସମର୍ତନ ରହିଛି । ଆଗାମୀ ୭୨ ଘଂଟା ଭିତରେ ପ୍ରଶାସନ ତଥା ରାଜ୍ୟ ସରକାର କୈାଣସି ଠୋସ୍ ପଦକ୍ଷେପ ଗ୍ରହଣ ନକରିଲେ ଏହାକୁ ଆହୁରି ତୀବ୍ର କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ସତ୍ୟାଗ୍ରହ ସ୍ଥଳରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ରଞ୍ଜନ ପଟେଲ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ସହସଂଯୋଜକ ସୁଜିତ୍ କୁମାର ଦାସ, ସ୍ୱଚ୍ଛ ଭାରତ ରାଜ୍ୟ ସଂଯୋଜକ ମହେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।