Wed. Oct 14th, 2026

ଭୁବନେଶ୍ୱର : ଓଡ଼ିଆ “ଫିଲ୍ମ ଇଣ୍ଡଷ୍ଟି” ଉପରେ ୨୦ହଜାର ପରିବାର ନିର୍ଭର କରୁଛନ୍ତି । ତେବେ ରାଜ୍ୟ ସରକାର ସେମାନଙ୍କ ପ୍ରତି କୌଣସି ବ୍ୟବସ୍ଥା କରିନାହାନ୍ତି କି ଓଡ଼ିଆ ଫିଲ୍ମର ପ୍ରଚାର ପ୍ରସାର ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । କଳାକାରମାନେ ନିଜର ଜୀବିକା ପାଇଁ ରାତିଦିନ ଏକ କରି ପରିଶ୍ରମ କରୁଥିଲେ ମଧ୍ୟ ପାରିଶ୍ରମିକ ଯେତେ ପାଉଛନ୍ତି, ସେମାନଙ୍କ ପରିବାର ପ୍ରତିପୋଷଣ ହେଉନାହିଁ । କଳାକାରମାନେ ଫିଲ୍ମ ଜଗତରୁ ଦୂରେଇ ଯାଉଥିଲେ ବି ରାଜ୍ୟ ସରକାର ମୌନ ହୋଇ ବସିଛନ୍ତି । ଯେଉଁ କଳାକାର ଫିଲ୍ମକୁ ପାଥେୟ କରି ବଂଚୁଛନ୍ତି ତାହାର ପରିବାର ଦୁଃଖ କଷ୍ଟରେ କାଳତି ପାତ କରୁଛନ୍ତି । ନବୀନ ବାବୁ ଓଡ଼ିଶାର ଓଡ଼ିଆ ଫିଲ୍ମ କଳାକାରଙ୍କୁ ଗୁରୁତ୍ୱ ନଦେଇ ବଲିଲଡ କରାକାରମାନଙ୍କୁ କୋଟି କୋଟି ଦେଇ ଓଡ଼ିଶାକୁ ଆଣୁଛନ୍ତି । କିନ୍ତୁ ନିଜର କଳାକାର ଓ ଓଡ଼ିଆ ଫିଲ୍ମ ପାଇଁ କୌଣସି ବ୍ୟବସ୍ଥା କରୁନାହାନ୍ତି ବୋଲି ବିଧାୟକ ଶ୍ରୀ ମୋହନ ମାଝୀ କହିଛନ୍ତି ।
ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ପ୍ରେକ୍ଷାଳୟ ନିର୍ମାଣ କରାଯିବ ବୋଲି ମିଥ୍ୟା ପ୍ରତିଶୃତି ଦେଇଥିବା ୨୩ ବର୍ଷର ବିଜେଡି ସରକାର ଅଦ୍ୟାବିଧି ଚଳଚିତ୍ର ଶିଳ୍ପକୁ ସଂପୂର୍ଣ୍ଣ ଅଣଦେଖା କରିଛନ୍ତି । ରାଜ୍ୟର ଏକମାତ୍ର କଳିଙ୍ଗ ଷ୍ଟୁଡିଓକୁ ଲିଜ୍ ସୁତ୍ରରେ ଅନ୍ୟ ଘରୋଇ ସଂସ୍ଥା ହାତକୁ ଟେକି ଦିଅଯାଇଛି । ଚଳଚିତ୍ର ଓ ପ୍ରେକ୍ଷାଳୟ ନିର୍ମାଣ ତଥା ଆନୁସାଙ୍ଗିକ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ଉଦ୍ଦିଷ୍ଟ ରାଜ୍ୟରେ ଥିବା ‘ଚଳଚିତ୍ର ବିକାଶ ନିଗମ’ର କାର୍ଯ୍ୟ କେବଳ ବିଜେଡି ନେତାମାନଙ୍କ ଥଇଥାନ କେନ୍ଦ୍ର ପାଲଟିଛି । ଚଳଚିତ୍ର ନିର୍ମାଣ, ପରିଚାଳନା, ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ଇତ୍ୟାଦି ପାଇଁ କୈାଣସି ନିର୍ଦ୍ଦିଷ୍ଟ ନୀତି ଓ ନିୟମ ନାହିଁ । ଏଭଳି ସ୍ଥିତିରେ ରାଜ୍ୟରେ ଚଳଚିତ୍ର ଶିଳ୍ପର ବିକାଶ ଆଦୈା ସମ୍ଭବ ନୁହେଁ ବୋଲି ଶ୍ରୀ ମାଝୀ କହିଛନ୍ତି ।
୨୩ବର୍ଷର ବିଜେଡି ସରକାର ଓଡ଼ିଆ ଚଳଚିତ୍ର ତଥା ଯାତ୍ରାଜଗତ ପାଇଁ କଣ କରିଛନ୍ତି ? ରାଜ୍ୟ ସରକାର ଓଡ଼ିଆ ଫିଲ୍ମ ପାଇଁ କାହିଁକି କୌଣସି ପ୍ରୋତ୍ସାହନ ଦେଉନାହାନ୍ତି ? ବର୍ତମାନ ସୁଦ୍ଧା କଳାକାର କଲ୍ୟାଣ ବୋର୍ଡ କାହିଁକି ଗଠନ କରିନାହାନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।
ଲୋୟର ପିଏମଜିଠାରେ ଧାରଣା ଦେଉଥିବା ଆନ୍ଦୋଳନରତ ସିନେ କଳାକାର, ଚଳଚିତ୍ର ନିର୍ମାଣ ସହ ସଂପୃକ୍ତ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଭେଟି ବିଜେପିର ଏକ ପ୍ରତିନିଧି ଦଳ ତାଙ୍କ ଦାବୀ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଧାୟକ କେ.ନାରାୟଣ ରାଓ, ସୁକାନ୍ତ ନାୟକ, ସୂର୍ଯ୍ୟବଂଶୀ ସୁରଜ, ନବ କିଶୋର ମାଝୀ, ବୁଦ୍ଧାନ ମୁର୍ମୁ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ପିଙ୍କି ପ୍ରଧାନ, ସୁଜିତ କୁମାର ଦାସ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *