ଗଞ୍ଜାମ ହେବ ଏକ ନମ୍ୱର,‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଶୁଭାରମ୍ଭ

ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଅଷ୍ଟମ ଦିନରେ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ ଗଞ୍ଜାମ ଜିଲ୍ଲାର  ୧୨ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୨୫୧.୫୦ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଭଞ୍ଜନଗର, ଛତ୍ରପୁର, ଖଲିକୋଟ, ଦିଗପହଣ୍ଡି, ସୁରଡା, ସାନଖେମୁଣ୍ଡି, ଗୋପାଳପୁର, ଆସ୍କା, ଚିକିଟି, ହିଞ୍ଜିଳିକାଟୁ, ପୋଲସରା ଓ କବିସୂର୍ଯ୍ୟନଗର ।

ଏହିସବୁ ନିର୍ବାଚନମଣ୍ଡଳୀର ୨୨ଟି ବ୍ଲକ୍‌‌ର ୫୦୩ଟି  ଗ୍ରାମ ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପ ହେବ। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୫୪.୫୦କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ସୁବର୍ଣ୍ଣପୁର ଓ ବୀରମହାରାଜପୁର।  ଏଥିରେ ୬ଟି ବ୍ଲକ୍‌ର ୧୦୯ଟି   ଗ୍ରାମପଞ୍ଚାୟତରେ ୧୪୧୯ଟି ପ୍ରକଳ୍ପ କରାଯିବ। ଆଜିର କାର୍ଯ୍ୟକ୍ରମ ପାଇଁ ଗଞ୍ଜାମ ଜିଲ୍ଲାର ୧୨ଟି ଓ ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା । କେବଳ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ।

‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।  ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ବିକାଶର ଏହି ନୂଆ ଚେହେରା ଗାଁ ଲୋକଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ସେ କହିଥିଲେ।

You May Also Like

More From Author

+ There are no comments

Add yours