Wed. Oct 14th, 2026

 ୧୯ତମ ଏସିଆନ ଗେମ୍ସରେ ଇତିହାସ ରଚିଛି ଭାରତ। ୪୧ ବର୍ଷ ପରେ ପ୍ରଥମଥର ପାଇଁ ଭାରତକୁ ଅଶ୍ୱ ଚାଳନାରେ ମିଳିଛି ସ୍ୱର୍ଣ୍ଣ। ୧୯୮୨ ଠାରୁ ଏଯାଏ ଭାରତ କେବେ ହେଲେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନଥିଲା। ହେଲେ ଆଜି ଚାଇନାରେ ଅଶ୍ୱ ଚାଳନାର ଟିମ ଇଭେଣ୍ଟରେ ଭାରତକୁ ଗୋଲ୍ଡ ମେଡାଲ ମିଳିଛି।

ଭାରତ ୨୦୯.୨୦୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚାଇନା ୨୦୪.୮୮୨ ପଏଣ୍ଟ ସହ ରୌପ ପଦକ ଓ ହଂକଂ ଚାଇନା ୨୦୪.୮୨ ପଏଣ୍ଟ ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି।

ଭାରତ ପକ୍ଷରୁ ସୁଦୀପ୍ତି ହାଜେଲା, ହ୍ରିଦୟ ବିପୁଲ ଛେଡା, ଅନୁଶ ଗାରୱାଲ୍ଲା ଓ ଦିବ୍ୟାକରିତି ସିଂହଙ୍କୁ ନେଇ ଗଠିତ ଟିମ ଅଶ୍ୱ ଚାଳନାର ଡ୍ରେସଏଜ ଇଭେଣ୍ଟରେ ଐତିହାସିକ ସ୍ୱର୍ଣ୍ଣ ଜିତିଛନ୍ତି। ଏହା ଡ୍ରେସଏଜ ଇଭେଣ୍ଟରେ ଭାରତର ପ୍ରଥମ ସ୍ୱର୍ଣ୍ଣ।

ସେହିପରି ଭାରତ ଅଶ୍ୱ ଚାଳନା କ୍ରୀଡ଼ାରେ ୪ର୍ଥ ଥର ପାଇଁ ସ୍ୱର୍ଣ୍ଣ ଜିତିଛି। ଏହାପୂର୍ବରୁ ୧୯୮୨ ଏସିଆନ ଗେମ୍ସରେ ଭାରତ ଅଶ୍ୱ ଚାଳନାରେ ୩ଟି ସ୍ୱର୍ଣ୍ଣ ଜିତିଥିଲା।ଦିଲ୍ଲୀରେ ଅନୁଷ୍ଠିତ ୧୯୮୨ ଏସିଆନ ଗେମ୍ସରେ ଭାରତର ରଘୁବୀର ସିଂହ ବ୍ୟକ୍ତିଗତ ଅଶ୍ୱ ଚାଳନା ଇଭେଣ୍ଟରେ ଚାମ୍ପିୟନ ହୋଇଥିଲେ। ସେ ମଧ୍ୟ ଗୁଲାମ ମହମ୍ମଦ ଖାନ, ବିଶାଲ ସିଂହ ଓ ମିଖା ସିଂହଙ୍କୁ ନେଇ ଗଠିତ ଭାରତୀୟ ଟିମ ପାଇଁ ମଧ୍ୟ ସ୍ୱର୍ଣ୍ଣ ପଦକ ପକ୍କା କରିଥିଲେ।

ଏହାବାଦ ଅଶ୍ୱ ଚାଳନାର ବ୍ୟକ୍ତିଗତ ଟେଣ୍ଟ ପେଗିଙ୍ଗ ଇଭେଣ୍ଟରେ ଭାରତ ପାଇଁ ରୂପିନ୍ଦର ସିଂହ ବ୍ରାର ଗୋଲ୍ଡ ପଦକ ହାତେଇଥିଲେ। ଏସିଆନ ଗେମ୍ସର ଉକ୍ତ ସଂସ୍କରଣରେ ଏହି ଇଭେଣ୍ଟକୁ ସାମିଲ କରାଯାଇଥିଲା ଓ ଭାରତ ପାଇଁ ରୂପିନ୍ଦର ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ।

୨୦୧୮ ଜାକାର୍ତ୍ତା ଠାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତର ଫୌଦ ମିର୍ଜା ଅଶ୍ୱ ଚାଳନାର ବ୍ୟକ୍ତିଗତ ଇଭେଣ୍ଟରେ ରୌପ ପଦକ ଜିତିଥିଲେ। ଏହାବାଦ ଟିମ ଇଭେଣ୍ଟରେ ରାକେଶ କୁମାର, ଆଶିଷ ମଲିକ, ଜିତେନ୍ଦ୍ର ସିଂହ ଓ ମିର୍ଜା ମିଳିତ ଭାବେ ବ୍ରୋଞ୍ଜ ପଦକ ହାତେଇ ଥିଲେ। କିନ୍ତୁ ୧୯୮୨ ପରେ ଦେଶକୁ ସ୍ୱର୍ଣ୍ଣ ମିଳି ନଥିଲା।

ଅଶ୍ୱ ଚାଳନାରେ ଭାରତ ଆଜି ସ୍ୱର୍ଣ୍ଣ ଜିତିବା ପରେ ଦେଶର ପଦକ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏଥିରେ ୩ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ରହିଛି।

ଆଜି ଗୋଟିଏ ଦିନରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି। ଆଜି ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ମିଳିଥିବା ବେଳେ ପୋତଚାଳନାରେ ନେହା ଠାକୁର ରୌପ୍ୟ ପଦକ ଜିତିଥିଲେ। ସେହିପରି ପୁରୁଷ ୱିଣ୍ଡ ସଫର ଇଭେଣ୍ଟରେ ଭାରତର ଇବାଦତ ଅଲୀ ବ୍ରୋଞ୍ଜ ପଦକ ଜିତିଛନ୍ତି।

Leave a Reply

Your email address will not be published. Required fields are marked *