କୋରାପୁଟ ରାଇପାହାଡ଼ରେ ଅନୁପ୍ରବେଶ ବିବାଦ ,ଦୁଇ ରାଜ୍ୟର ବୈଠକରେ ନଥିପତ୍ର ଦେଖାଇପାରିଲାନି ଆନ୍ଧ୍ର ପ୍ରଶାସନ

କୋରାପୁଟ: କୋଟିଆ ପରେ ଏବେ ନନ୍ଦପୁର ରାଇପାହାଡ଼ ଦଖଲ କରିବାକୁ ଚକ୍ରାନ୍ତ କରୁଛି ଆନ୍ଧ୍ର । ଓଡ଼ିଶା ସୀମାନ୍ତ ଗ୍ରାମରେ ପଶି ଆନ୍ଧ୍ର ସରକାର ଯୋଜନା ବାଣ୍ଟୁଛନ୍ତି । ରାଇପାହାଡ ଓଡ଼ିଶାର ହୋଇଥିଲେ ହେଁ ପଡ଼ୋଶୀ ସରକାର ଶିକ୍ଷାଠୁ ଆରମ୍ଭ କରି ସ୍ବାସ୍ଥ୍ୟସେବା, ଭତ୍ତା ଯାଏଁ ବିଭିନ୍ନ ସୁବିଧା ଯୋଗାଉଛନ୍ତି । ଆନ୍ଧ୍ରର ଏହି ଅନୁପ୍ରବେଶ ବିବାଦକୁ ନେଇ ବୁଧବାର ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଓଡ଼ିଶା ଓ ଆନ୍ଧ୍ରର ସୀମା ନିର୍ଦ୍ଧାରଣ ପାଇଁ ଉଭୟ ପକ୍ଷର ବରିଷ୍ଠ ଅଧିକାରୀମାନେ ଏକାଠି ଆଲୋଚନା କରିଥିଲେ । ହେଲେ ବୈଠକରେ ଆନ୍ଧ୍ର ପ୍ରଶାସନ ସୀମା ନିର୍ଦ୍ଧାରଣର ସଠିକ ନଥିପତ୍ର ଦେଖାଇ ପାରିନଥିଲା । ସୀମା ଚିହ୍ନଟ ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଗୋଲୁରୁ ପଞ୍ଚାୟତର ରାଇପାହାଡ଼ ଗାଁ ରେ 17 ଆଦିବାସୀ ପରିବାର ବସବାସ କରୁଛନ୍ତି l ଗାଁକୁ ଯିବା ପାଇଁ ନା ଭଲ ରାସ୍ତା ଅଛି ନା ପାଠ ପଢିବା ପାଇଁ ଅଙ୍ଗନୱାଡି କି ବିଦ୍ୟାଳୟ । ଓଡ଼ିଶା ସରକାରଙ୍କ ଏଭଳି ଅବହେଳା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଏବେ ଆନ୍ଧ୍ର ମୁହାଁ ହେଉଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଥାନୀୟ ବୃଦ୍ଧବୃଦ୍ଧାଙ୍କୁ 500 ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ଆନ୍ଧ୍ର ସରକାର, 2,750 ଟଙ୍କା ଦେଉଛନ୍ତି । ତାହା ପୁଣି ଘରେ ଆଣି ଦେଇଯାଉଥିବା ଗ୍ରାମବାସୀ କହିଛନ୍ତି । ରାଇପାହାଡ଼ ଗ୍ରାମରେ ଆନ୍ଧ୍ର ପକ୍ଷରୁ 6ଟି ଆବାସ ଯୋଗାଇ ଦିଆଯାଇଛି, ଓଡ଼ିଶା ତରଫରୁ 3ଟି ଆବାସ ଦିଆଯାଇଛି l

ଆନ୍ଧ୍ର ପକ୍ଷରୁ ରାଇପାହାଡ଼ ବିଦ୍ୟାଳୟରେ ପାଠପଢା ପାଇଁ ପାଠ୍ୟ ଉପକରଣ ସହିତ ପ୍ରତ୍ୟେକ ପିଲା ପିଛା 10 ହଜାର ଟଙ୍କା ଦିଆଯାଇଛି । ଗାଁରେ ଜଣେ ଆଶା ଦିଦି ମଧ୍ୟ ନିୟୋଜିତ କରିଛି । ଆଶା ଦିଦି ଜଣକ ୨୪ ଘଣ୍ଟିଆ ଗ୍ରାମବାସୀଙ୍କୁ ସେବା ଯୋଗାଉଛନ୍ତି । କାହାର ଟିକିଏ ଦେହ ଖରାପ ହେଲେ ସଙ୍ଗେସଙ୍ଗେ ବିଶାଖାପାଟଣାକୁ ନେଇ ମାଗଣାରେ ଚିକିତ୍ସା କରାଇ ଘରେ ଛାଡ଼ୁଛନ୍ତି । କେବଳ ଏତିକି ନୁହେଁ, ଗ୍ରାମରେ ବିଦ୍ୟୁତ ସଂଯୋଗ, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା, ଭତ୍ତା, ରାସନ ସାମଗ୍ରୀ ସହିତ ଚାଷ କରିବା ପାଇଁ ବିଭିନ୍ନ ଉପକରଣ ଓ ଜମିପଟ୍ଟା ଯୋଗାଇ ମଧ୍ୟ ଦେଉଛି l ଆନ୍ଧ୍ର ଓଡ଼ିଶା ଡେଇଁ ଗ୍ରାମରେ ଯୋଜନା ବାଣ୍ଟୁଥିବା ବେଳେ ଓଡ଼ିଶା କେବଳ ଜଳକା ଭଳି ଚାହିଁ ରହିଛି ।

You May Also Like

More From Author

+ There are no comments

Add yours