ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୁଞ୍ଜକୋଠୀ ପଞ୍ଚାୟତ ଖୁରାଣ୍ଟ ଜଗତପଡା ଠାରେ ଆନ୍ତଃଜିଲ୍ଲା ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଶହଶହ ଖେଳପ୍ରେମୀଙ୍କ ଗହଣରେ ଏହି ଚିତ୍ତାକର୍ଷକ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଖୁରାଣ୍ଟ ଜଗତପଡା ମା’ରାମଚଣ୍ଡୀ ନ୍ୟୁଷ୍ଟାର କ୍ଲବ ପକ୍ଷରୁ ଆୟୋଜିତ ହୋଇଥିଲା ୧୪ତମ ଆନ୍ତଃ ରାଜ୍ୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ।ଏହି ଟୁର୍ଣ୍ଣାମେଣ୍ଟରେ ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ଭଲିବଲ ଟିମ ଭାଗନେଇଥିଲେ।ଏହି ଭଲିବଲ ଟୁର୍ଣ୍ଣାମେଣ୍ଟକୁ ପୂର୍ବତନ ସରପଞ୍ଚ ରାଜୀବ ବେହେରା ଉଦଘାଟନ କରିଥିବା ବେଳେ ଏଥିରେ ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ପୀତବାସ ଗଛାୟତ,ଏରସମା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ବେଉରାଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ବହୁ ଜାତୀୟସ୍ତରର ଭଲିବଲ ଖେଳାଳି ଭାଗନେଇଥିବାରୁ ଆଖପାଖ ଅଞ୍ଚଳର ଶତାଧିକ କ୍ରିଡାପ୍ରେମୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳ ଉପଭୋଗ କରିଥିଲେ।୧୪ବର୍ଷ ଧରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଥିବା ବେଳେ ଏହା ସମଗ୍ର ଜିଲ୍ଲାରେ ଏକ ସ୍ୱତନ୍ତ୍ର ମାହଲ ସୃଷ୍ଟି କରିଛି।
ଆନ୍ତଃ ରାଜ୍ୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ଭଦ୍ରକ ଜିଲ୍ଲାର ସୂର୍ଯ୍ୟଶିକ୍ଷା କ୍ଲବ,କେନ୍ଦୁଝର ଜିଲ୍ଲାର ତ୍ରିବେଣୀ କ୍ଲବ,ବାଲେଶ୍ବର ଜିଲ୍ଲାର ହରିଆନା ସ୍ପୋର୍ଷ ହଷ୍ଟେଲ ଓ ଖୋର୍ଦ୍ଧା ଜିଲ୍ଲାର ଭୂବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଚିତାକର୍ଷକ ମ୍ୟାଚ ଦେଖିବାକୁ ମିଳିଥିଲା।ଫାଇନାଲ ମ୍ୟାଚରେ କେନ୍ଦୁଝର ତ୍ରିବେଣୀ କ୍ଲବକୁ ହରାଇ ଖୋର୍ଦ୍ଧାର ଭୂବନେଶ୍ୱର ଚମ୍ପିୟାନ ହୋଇଥିଲା।ଚମ୍ପିୟାନ ଓ ରନର୍ସପ ଦଳ ଓ ଶ୍ରେଷ୍ଟ ଖେଳାଳି ମାନଙ୍କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ବହୁ ଜାତୀୟ ସ୍ତରର ଭଲିବଲ ଖେଳାଳି ଭାଗନେଇଥିବା ବେଳେ ରାଜ୍ୟସ୍ତରୀୟ ରେଫେରୀ ଭାଗନେଇଥିଲେ।ଗ୍ରାମାଞ୍ଚଳରେ ଏଭଳି ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଥିବାରୁ ଉଭୟ ଖେଳାଳି ଓ ରେଫେରୀ ଆନନ୍ଦ ଅନୁଭବ କରିବା ସହ ଏହି ଅଞ୍ଚଳରୁ ବହୁ ପ୍ରତିଭାବାନ ଖେଳାଳି ବାହାରିବେ ବୋଲି ଆଶା କରିଥିଲେ। ଗ୍ରାମାଞ୍ଚଳରେ ଏଭଳି ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ଦ୍ୱାରା ବହୁ ପ୍ରତିଭାବାନ ଖେଳାଳି ସୃଷ୍ଟି ହେବା ସହ ଭାଇଚାରା ଓ ଆଞ୍ଚଳିକ ଏକତା ସୃଷ୍ଟି ହୋଇପାରିବ।