ରତ୍ନଭଣ୍ଡାରର ଚାବି କୋଉଠି?

ପୁରୀ : ଶ୍ରୀ ଜଗନ୍ନାଥ । ଜଗତର ନାଥ । ସାଢେ ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା । ଲୋକଙ୍କ ଆବେଗ, ଭାବାବେଗ ସହ ଜଡିତ କଳାସାଆନ୍ତ । ହେଲେ ସେହି ସାଆନ୍ତଙ୍କ ସମ୍ପତ୍ତି ଏବେ ବିପଦରେ । ପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ଗଲା କୁଆଡ଼େ? ହଜିଗଲା ନା ଚୋରି ହୋଇଗଲା? ଆରଟିଆଇରୁ ମିଳିଲା ସାଂଘାତିକ ତଥ୍ୟ । ୧୯୭୦ ମସିହାରୁ ନାହିଁ ରତ୍ନଭଣ୍ଡାର ଚାବି । ଯାହାକୁ ନେଇ ଏବେ ହରଡ଼ଘଣାରେ ରାଜ୍ୟ ସରକାର । ୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ଆଦେଶକ୍ରମେ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ ୧୭ ଜଣିଆ ଟିମ୍ । ବାହାରୁ ଭଣ୍ଡାରର ସ୍ଥିତି ପରଖିଥିଲା ଟିମ୍ । ଚାବି ନଥିବାରୁ ଭିତର ଭଣ୍ଡାର ଖୋଲାଗଲା ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଥିଲେ । ଚାବି ହଜିବା ଘଟଣା ପ୍ରଘଟ ହେବା ପରେ ରାଜରାସ୍ତାରେ ଆନ୍ଦୋଳନ କରିଥିଲେ ବିରୋଧୀ । ସରକାର ଚାପରେ ପଡ଼ି ୨୦୧୮ ଜୁନ ୬ରେ ରଘୁବୀର ଦାସ କମିଟି ଗଠନ କରି ତଦନ୍ତ କରାଇଥିଲେ । କମିଶନ ତଦନ୍ତ ଆରମ୍ଭ କରିବାର କିଛି ଦିନ ପରେ ତକ୍ରାଳିନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଥିଲେ ଯେ ମିଳିଛି ରତ୍ନ ଭଣ୍ଡାରର ନକଲି ଚାବି । ତଦନ୍ତ କମିଶନ ୩୨୪ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରି ୨୦୧୮ ନଭେମ୍ବର ୨୮ରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଯେଉଁଥିରେ ଖର୍ଚ୍ଚ ହୋଇଥିଲା ୨୨ଲକ୍ଷ ୨୭ ହଜାର ୯୧୮ଟଙ୍କା । ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ । ଆରଟିଆଇ ରିପୋର୍ଟ କହୁଛି ୨୦୧୮ ଏପ୍ରିଲ ୪ ତାରିଖରେ ଟ୍ରେଜେରୀରେ ଚାବି ନଥିବା କଥା ତକ୍ରାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଚିଠିିରେ ଜଣାଇଥିଲା ଟ୍ରେଜେରୀ କାର୍ଯ୍ୟଳୟ । ଏହି ଚିଠି ଆଧାରରେ ତକ୍ରାଳୀନ ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ମଧ୍ୟ ଟ୍ରେଜେରୀରେ ଚାବି ନଥିବା ଅବଗତ କରିଥିଲେ । ଏଥିରୁ ସ୍ପଷ୍ଟ ୧୭ ଜଣ ସଦସ୍ୟ ଚାବି ନଥିବା ଜାଣି ମଧ୍ୟ ରତ୍ନଭଣ୍ଡାରକୁ ଖୋଲିବାକୁ ଯାଇଥିଲେ କାହିଁକି ।
ଆରଟିଆଇ ତଥ୍ୟ ଓ ଟ୍ରେଜେରି ମୁତାବକ ୧୯୭୦ ମସିହାରୁ ନାହିଁ ରତ୍ନଭଣ୍ଡାରର ଚାବି । ଯାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ କୁଠାରଘାତ ପହଞ୍ଚାଇଛି । ରତ୍ନଭଣ୍ଡାର ଚାବିକୁ ନେଇ ଦିନକୁ ଦିନ ଛନ୍ଦି ହେଉଛନ୍ତି ସରକାର । ହେଲେ ଏବାବଦରେ କୌଣସି ସ୍ପଷ୍ଟିକରଣ ଦେଉନାହାନ୍ତି ସରକାର । ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ରତ୍ନଭଣ୍ଡାରର ରତ୍ନ ଏବେ ସୁରକ୍ଷିତ ତ?

You May Also Like

More From Author

+ There are no comments

Add yours