ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ନିଳାଦ୍ରୀ ବିଜେ ମହୋତ୍ସବ ଉଦଘାଟିତ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଶ୍ରୀ ଜଗନ୍ନାଥ ନିଳାଦ୍ରୀ ସେବା ଟ୍ରଷ୍ଟ ପକ୍ଷରୁ ନିଳାଦ୍ରୀ ବିଜେ ମହୋତ୍ସବ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରି କୋଟିଏ ଧେନୁ ଦାନ ସହ ନିର୍ମାଲ୍ୟର ମହିମାକୁ ତୁଳନା କରିଥିଲେ । ସେ ଆହୁରି ମଧ୍ୟ ଚାରି ଧାମ ମଧ୍ୟରେ ମହାପ୍ରସାଦ କେବଳ ଶ୍ରୀକ୍ଷେତ୍ରରେ ମିଳୁଥିବାରୁ ଏହା ଅନନ୍ୟ, ଅଵ୍ୟକ୍ତ ଓ ପାପ ତାପ ହରଣ କରିଥାଏ ବୋଲି କହିଥିଲେ । ମହାପ୍ରଭୁ ଭୋଜନ ଓ କଳାପ୍ରିୟର ଠାକୁର।ଶ୍ରୀକ୍ଷେତ୍ର ବ୍ୟତୀତ ୮୨୪ ପ୍ରକାର ଭୋଗ ଆଉ କେଉଁଠାରେ ପାଇବା ନାହିଁ । ଆମ ପ୍ରତ୍ୟେକଙ୍କ ଶରୀରରେ ପ୍ରଭୁଙ୍କ ଡିଏନଏ ସନ୍ନିବେଶିତ ବୋଲି କହିବା ସହ ଜଗନ୍ନାଥଙ୍କ ଚରଣ ଧୂଳିରେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି କହିଥିଲେ ।

ଅନ୍ୟତମ ଅତିଥି ଓଡିଶା ହାଇକୋର୍ଟର ବିଚାରପତି ଦେବବ୍ରତ ଦାସ ମହାପ୍ରଭୁଙ୍କ ମହିମା ଉପରେ ଆଲୋକପାତ କରିଥିଲେ । ନିଳାଦ୍ରୀ ବିଜେ ପରେ ଗତକାଲି ନିଳାଚଳ ଅବଢ଼ା ବାହାରିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଆନନ୍ଦମୟ କଥା । ଭଗବାନଙ୍କ କୃପା ପ୍ରାପ୍ତିର ଅନେକ ମାର୍ଗ ରହିଛି ବୋଲି କହିବା ସହ ଭକ୍ତି ଓ ଭଜନ ଏକ ଶ୍ରେଷ୍ଠ ମାଧ୍ୟମ ବୋଲି କହିଥିଲେ । ଟ୍ରଷ୍ଟର ପ୍ରତିଷ୍ଠାତା ଗୌରୀ ଶଙ୍କର ସିଂହାରୀ ମହାପ୍ରସାଦର ମହିମା, ଟ୍ରଷ୍ଟ ପ୍ରତିଷ୍ଠାର ଆବଶ୍ୟକତା ଓ ପରିଚାଳନା ସମ୍ପର୍କରେ ବିଷଦ ତଥ୍ୟ ଉପସ୍ଥାପନ କରିଥିଲେ। ଶିକ୍ଷାବିତ ପ୍ରଫେସର ହରେକୃଷ୍ଣ ଶତପଥୀ ପ୍ରଭୁଙ୍କ ମାନବୀୟ ଲୀଳାର ପଟାନ୍ତର ନାହିଁ ବୋଲି କହିଥିଲେ । ନିଳାଚଳ ମହାପ୍ରସାଦର ମହତ୍ତ୍ଵ ଦର୍ଶାଇ ଏହା ବିଷାଦରୁ ପ୍ରସାଦ ବୋଲି କହିଥିଲେ।ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡ ରୀନା ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ର ସିଂହାରୀଙ୍କୁ ଶ୍ରୀଜଗନ୍ନାଥ ସେବକ ସମ୍ମାନ ଓ ଅନ୍ୟ ପ୍ରତିଭାଧାରୀଙ୍କୁ ଶ୍ରୀ ଜଗନ୍ନାଥ ନିଳାଦ୍ରୀ ସେବା ସମ୍ମାନରେ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଭଜନ ପରିବେଷଣ କରାଯାଇଥିଲା।

You May Also Like

More From Author

+ There are no comments

Add yours