ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡ଼ ଜିଲ୍ଲାରେ “ତମାଖୁ ମୁକ୍ତ ଯୁବକ ଅଭିଯାନ”ର ଶୁଭାରମ୍ଭ ହୋଇଯାଇଛି | ଏହି ଅବସରରେ ଭାରପ୍ରାପ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଡା ଲାଲମୋହନ ରାଉତରାୟ, ଡା ଭି ଏଲ ଏନ ରାଜୁ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ଏହି ଅଭିଯାନର ଶୁଭାରମ୍ଭ ଅବସରରେ, ଭାରପ୍ରାପ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ତମାଖୁ ନିଷେଧ ଶପଥ ପାଠ କରାଇବା ସହିତ ସଭାରେ ଉପସ୍ଥିତ ଥିବା ମାନ୍ୟଗଣ ବ୍ୟକ୍ତିବିଶେଷମାନଙ୍କୁ ନିଜ ନିଜ କାର୍ଯ୍ୟକ୍ଷେତ୍ର ପରିସରରକୁ ତମାଖୁ ମୁକ୍ତ ପରିବେଶ କରିବାପାଇଁ କହିଥିଲେ | ସେ ଆହୁରି ମଧ୍ୟ କହିଥିଲେ ଯେ ତମାଖୁ ସେବନ ଦ୍ୱାରା କର୍କଟ ଏବଂ ଫୁସଫୁସ ଜନିତ ରୋଗ ହୋଇଥାଏ । ଏହାର ବ୍ୟବହାର କରିବା ଦ୍ୱାରା ନିଜର ତଥା ନିଜ ପରିବାର ଏବଂ ସମାଜ ପାଇଁ ସମ୍ପୃକ୍ତ ରୋଗ ଏବଂ ମୃତ୍ୟୁ ମାଧ୍ୟମରେ ଏହା କ୍ଷତି ଆଣିଥାଏ |
ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଲାଲମୋହନ ରାଉତରୟ, କହିଥିଲେ ଯେ ତମାଖୁ ନିବାରଣ କ୍ଷେତ୍ରରେ ଆମ ଜିଲ୍ଲା ସବୁବେଳେ ପ୍ରାଥମିକତା ଦେଇଆସୁଛି | ଗତ ପାଞ୍ଚବର୍ଷରେ ଆମ ଜିଲ୍ଲା ରାଜ୍ୟରେ ତମାଖୁ ନିବାରଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସୁଛି | ଏହି ବର୍ଷ ରାଜ୍ୟସ୍ତରରେ ତମାଖୁ ନିବାରଣ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାକୁ ବିଶ୍ୱ ତମାଖୁ ନିବାରଣ ଦିବସ ଦିନ ସମ୍ବୋଧିତ କରାଯାଇଥିଲା | ଏହି ସଫଳତା ପାଇଁ ଜିଲ୍ଲା ପୋଲିସ ବିଭାଗ, ଜିଲ୍ଲା ଅବକାରୀ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ ଓ ଜିଲ୍ଲା ଔଷଧ ନିରୀକ୍ଷଙ୍କ ସହଯୋଗରୁ ସମ୍ଭବ ହୋଇପାରିଛି ବୋଲି ଡା ଲାଲମୋହନ ରାଉତରୟ ମତପୋଷଣ କରିଥିଲେ |
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଗତ ମେ ମାସ 31 ତାରିଖ ଦିନ ‘ତମାଖୁମୁକ୍ତ ଯୁବକ’ ବିଷୟବସ୍ତୁ ଉପରେ 60 ଦିନିଆ ସର୍ବଭାରତୀୟ ତମାଖୁ ମୁକ୍ତ ଅଭିଯାନ ଆରମ୍ଭ କରିଛି ଯେଉଁଥିରେ ଯୁବକମାନଙ୍କ ମଧ୍ୟରେ ତମାଖୁ ସେବନକୁ ରୋକିବା ତଥା ତମାଖୁ ବ୍ୟବହାରକାରୀଙ୍କୁ ତମାଖୁ ତ୍ୟାଗ କରିବାରେ ସହାୟତା କରାଯିବ। ଏହି ଅଭିଯାନର ଅଂଶ ଭାବେ ଗତ ମେ 31 ତାରିଖ ଦିନ ପାଳନ କରାଯାଇଥିବା ବିଶ୍ୱ ତମାଖୁ ବର୍ଜନ ଦିବସରେ ‘ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ’ ପରି ଅନେକ ପଦକ୍ଷେପମାନ ନିଆଯାଇଥିଲା |
