ଶବ୍ଦ ଓଡିଶା ବ୍ୟୁରୋ: ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବିଦା କରାଯିବାର କିଛି ଘଣ୍ଟା ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି । ତାଙ୍କୁ ପସାଧାରଣ ପ୍ରଶାସନ ବିଭାଗରେ ଓଏସଡି ଭାବେ ଅବସ୍ଥାପିତ କରାଯାଇଛି। ଗୋଟିଏ ଦିନରେ ଉଚ୍ଚଶିକ୍ଷା ବିଭାଗର ଉଭୟ ମନ୍ତ୍ରୀ ଓ ସଚିବଙ୍କୁ ବିତାଡ଼ିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ତଥା ଓଏଚପିସି ଅଧ୍ୟକ୍ଷ ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସବୁ ଦାୟିତ୍ୱ କାଢ଼ି ନିଆଯାଇ ସାଧାରଣ ପ୍ରଶାସନ ବିଭାଗର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଭାବେ ବଦଳି କରାଯାଇଛି ।
ସେହିପରି ଅର୍ଥ ବିଭାଗର ପ୍ରମୁଖ ସଚିବ ୧୯୯୬ ବ୍ୟାଚ୍ ଆଇଏଏସ୍ ବିଶାଳ କୁମାର ଦେବଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ଜଳବିଦ୍ୟୁତ ନିଗମ(ଓଏଚପିସି) ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି । ୨୦୦୭ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସଚିବ ଭାବେ ବଦଳି କରାଯାଇଛି । ଏହି ନୂଆ ଦାୟିତ୍ୱ ସହ ଶ୍ରୀ ଅଗ୍ରୱାଲ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
