ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଦୁଇଟି ବ୍ୟାଟେରୀ ଚାଳିତ ଗାଡି ମଙ୍ଗଳବାର ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଭୁବନେଶ୍ୱର ଷ୍ଟେଟ୍ ବ୍ୟାଙ୍କ ଜେନେରାଲ ମ୍ୟାନେଜର ଏମ୍ ପୁନମବଲମଙ୍କ ସହ ପୁରୀ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଚିଫ୍ ମ୍ୟାନେଜର ବିଜୟ କୁମାର ଶତପଥୀ ଏଥିରେ ଯୋଗଦେଇଥିଲେ।
ଆଗକୁ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରା ଥିବାରୁ ଭକ୍ତ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସେହିପରି ଶ୍ରୀକ୍ଷେତ୍ରରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ଆଗମନ ହେଉଥିବା ବେଳେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଭକ୍ତ ମାନେ ଏହି ବ୍ୟାଟେରୀ ଚାଳିତ ଗାଡ଼ିକୁ ନିଃଶୁଳ୍କ ଭାବେ ବ୍ୟବହାର କରିପାରିବେ ବୋଲି ପୁରୀ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପରିଚାଳକ ବିଜୟ କୁମାର ଶତପଥୀ କହିଛନ୍ତି।
