Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଶିବ ବିବାହ ପୂର୍ବରୁ ହୋଇଥାଏ ଏକ ନିଆରା ପରମ୍ପରା । ଏହା ହେଉଛି କନ୍ୟା ଚୋରୀ ନୀତି । ଶିବ ମନ୍ଦିର ମାନଙ୍କରେ ପରମ୍ପରାରେ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଆଉ ପାର୍ବତୀ ଶିବ ମନ୍ଦିରରେ ଅବସ୍ଥାନ କରନ୍ତି। କିନ୍ତୁ ଶ୍ରୀକ୍ଷେତ୍ରର ଶୀତଳ ଷଷ୍ଠୀ ଅର୍ଥ ପଞ୍ଚପାଣ୍ତବ ବା ପଞ୍ଚ ମହାଦେବ(ଶ୍ରୀ ଜମ୍ବେଶ୍ଵର, ଶ୍ରୀ ଲୋକନାଥ, ଶ୍ରୀ ମାର୍କଣ୍ଡେଶ୍ୱର, ଶ୍ରୀ କପାଳମୋଚନ, ଶ୍ରୀ ନୀଳକଣ୍ଠ)ଙ୍କ ଶୀତଳ ଷଷ୍ଠୀକୁ ବୁଝାଏ। ପଞ୍ଚ ମହାଦେବଙ୍କ ଚଳନ୍ତି ପ୍ରତିମାମାନେ ଅନ୍ୟ ଶିବ ମନ୍ଦିର ଭଳି ନିଜ ମନ୍ଦିରରେ ନ ରହି ଶ୍ରୀମନ୍ଦିରର ଦକ୍ଷିଣ ଘର(ଯୋଉଠି ଶ୍ରୀ ମଦନମୋହନ ରହନ୍ତି) ଆଉ ଭଣ୍ଡାର ଘରେ ରହନ୍ତି, କେବଳ ଲୋକନାଥ ଭଣ୍ଡାର ଘରେ ମହାମନ୍ତ୍ରୀ ପଦରେ ରହନ୍ତି । ଆଉ ବାକି ଚାରି ମହାଦେବଙ୍କ ଚଳନ୍ତି ପ୍ରତିମା ମାନେ ଦକ୍ଷିଣ ଘରେ ରହନ୍ତି। ଏ ମହାଦେବଙ୍କ ପାର୍ବତୀଙ୍କ ପ୍ରତିମାମାନେ ନିଜ ନିଜ ସେବକଙ୍କ ଘରେ କୁମାରୀ ଝିଅ ଭାବେ ରହନ୍ତି।

ଶିବ ବିବାହର ପୂର୍ବ ଦିନ ଅର୍ଥାତ୍ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀର ସଂଧ୍ୟା ଧୂପ ସରିଲେ, ଶ୍ରୀମନ୍ଦିରରେ ବଲ୍ଲଭ ଓ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଶ୍ରୀ ଲୋକନାଥ ଭଣ୍ଡାର ଘରୁ, ଜମ୍ବେଶ୍ବର, ମାର୍କଣ୍ଡେୟ, କପାଳମୋଚନ , ନୀଳକଣ୍ଠ ଦକ୍ଷିଣ ଘରୁ ବିଜେ ହୋଇ ନିଜ ସ୍ୱ ସ୍ୱ ମନ୍ଦିରକୁ ପାଲିଙ୍କିରେ ବିଜେ କରିଥାନ୍ତି । ପଞ୍ଚ ମହାଦେବ ନିଜ ସ୍ୱ ମନ୍ଦିରରେ ମହାସ୍ନାନ, ମାଜଣା ଓ ବନକ ହୋଇ ଭିତରକୁ ବିଜେ କରିଥାନ୍ତି। ଏହା ପରେ ମନ୍ଦିରରେ ସକାଳ ଧୂପ ପୂଜା ହୋଇଥାଏ ପରେ ସେଠାରେ ଚନ୍ଦନ ଲାଗି ଓ ଆଲଟ ଲାଗି ହୋଇଥାଏ। ଏହି ନୀତି ଶେଷ ପରେ ଯାତ ଭୋଗ ହୋଇ ପଞ୍ଚ ମହାଦେବ ସ୍ୱ ସ୍ୱ ବିମାନରେ ପୁରୀର ସାହି ସାହି ବୁଲି ପନ୍ତି ଖାଇଥାନ୍ତି । ସାହିରେ ଲୁଚି ଲୁଚି ଯାଇଥାନ୍ତି ନିଜ ଶଶ୍ବରାଳୟକୁ । ଏଠାରେ କନ୍ୟା ଚୋରି ନୀତି ହେବା ପରେ ପାର୍ବତୀଙ୍କୁ ନେଇ ନିଜ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହି କନ୍ୟା ଚୋରି ସମ୍ପନ୍ନ ହେବା ପରେ ପ୍ରତ୍ୟେକ ଠାକୁର ସ୍ୱମନ୍ଦିର କୁ ବିଜେ କରିଥାନ୍ତି । ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ନୀତି ସମ୍ପନ୍ନ ହୋଇ ପହଡ଼ ହୋଇଥାଏ । ଏହି ନୀତି ସମ୍ପର୍କରେ ଲୋକନାଥଙ୍କ ସେବାୟତ କୁହନ୍ତି , କନ୍ୟାଚୋରି ଏକମାତ୍ର ପର୍ବ ଯାହାକି କେବଳ ଶ୍ରୀକ୍ଷେତ୍ର ରେ ପାଳନ ହୋଇଥାଏ।
ଏପରି ନୀତି ପଛରେ ଏକ କାରଣ ଅଛି, ଯେତେବେଳେ ରୁକ୍ମିଣୀ ହରଣ ଏକାଦଶୀରେ ଶ୍ରୀ ମଦନମୋହନ ରୁକ୍ମିଣୀ ବା ଲକ୍ଷ୍ମୀଠାକୁରାଣୀଙ୍କୁ ହରଣ କରି ବିବାହ କରନ୍ତି, ସେତେବେଳେ ପଞ୍ଚ ମହାଦେବ ସ୍ଵ ସ୍ୱ ପାର୍ବତୀଙ୍କୁ ମଧ୍ୟ ସେବକ ଘରୁ ନେଇ ବିବାହ କରନ୍ତି। ଶ୍ରୀକ୍ଷେତ୍ରରେ ତ ଯାହା ହୁଏ, ସବୁ କଥାରେ ସାଆନ୍ତଙ୍କ ଛାପ ରହି ଥାଏ, ତେଣୁ ପଞ୍ଚ ମହାଦେବଙ୍କ ସେବକଙ୍କ ଘରୁ ପାର୍ବତୀଙ୍କୁ ନେବା ନୀତିକୁ କନ୍ୟା ଚୋରି ଆଖ୍ୟା ଦେବା କିଛି ଅତ୍ୟୁକ୍ତି ହେବନାହିଁ। ଅନନ୍ୟ ଶ୍ରୀକ୍ଷେତ୍ର ଆଉ ଅନନ୍ୟ ଏହାର ପରମ୍ପରା।

Leave a Reply

Your email address will not be published. Required fields are marked *