କିଏ ଥିଲେ କର୍ଣ୍ଣାଟକରେ କଂଗ୍ରେସର ବିଜୟ ପଛର ନାୟକ?

କର୍ଣ୍ଣାଟକରେ କଂଗ୍ରେସର ବିଜୟ ସହିତ ମୁଖ୍ୟମନ୍ତ୍ରୀ କିଏ ହେବ ସେ ସମସ୍ୟା ବି ସମାଧାନ ହୋଇଯାଇଛି । ତେବେ କର୍ଣ୍ଣାଟକରେ କଂଗ୍ରେସ ର ବିଜୟ ପଛରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ଓ ଡିକେ ଶିବକୁମାରଙ୍କ ଭଳି ବଡ ବଡ ନେତାଙ୍କ ହାତ ଥିବା କୁହାଯାଉଥିବାବେଳେ, ଅସଲରେ କିନ୍ତୁ କର୍ଣ୍ଣାଟକରେ କଂଗ୍ରେସ ବିଜୟ କାହାଣୀର ଅସଲି ପଟ୍ଟକଥା ଲେଖିଥିବା ନାୟକ ଜଣକ ହେଉଛନ୍ତି ସୁନୀଲ କାନୁଗୋଲୁ ବୋଲି ଶୁଣିବାକୁ ମିଳୁଛି ।କୁହାଯାଉଛି ସୁନୀଲ କାନୁଗୋଲୁ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ରଣନୀତିରେ ଏଥର କର୍ଣ୍ଣାଟକ ନିର୍ବାଚନ ଲଢିଥିଲା କଂଗ୍ରେସ । ଯିଏକି କଂଗ୍ରେସର ପ୍ରମୁଖ ରଣନୀତିକାର। ତାଙ୍କ ପାଇଁ ଆଜି କର୍ଣ୍ଣାଟକ ଭଳି ବଡ ରାଜ୍ୟରେ କଂଗ୍ରେସ ବଡ ବିଜୟ ହାସଲ କରିଛି । ନିର୍ବାଚନ ସମୟରେ ହିଁ ସୁନୀଲ କଂଗ୍ରେସ ପାଇଁ ଲଗାତାର ରଣନୀତି ପ୍ରସ୍ତୁତ କରୁଥିଲେ । ବିଜେପି ପକ୍ଷରୁ ଦିଆଯାଉଥିବା ଭାଷଣର କାଉଣ୍ଟର ଏଜେଣ୍ଡା ପ୍ରସ୍ତୁତ କରିବା ସହିତ କେମିତି କଂଗ୍ରେସ ଲୋକଙ୍କ ନିକଟତର ହେବ, ସେନେଇ ପ୍ଲାନ ପ୍ରସ୍ତୁତ କରୁଥିଲେ ସୁନୀଲ କାନୁଗୋଲୁ । ତେଣୁ କଂଗ୍ରେସର ଏହି ବିଜୟ ପଛରେ ସେ ହିଁ ଅସଲ ନାୟକ ସୁନୀଲ କାନୁଗୋଲୁ ବୋଲି କୁହାଯାଉଛି ।ସୂଚନାଯୋଗ୍ୟ ଯେ, ଗତବର୍ଷ ସୁନୀଲ କାନୁଗୋଲୁ ଜଣେ ରଣନୀତିକାର ଭାବେ କଂଗ୍ରେସରେ ସାମିଲ ହୋଇ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବାରେ ଲାଗିଥିଲେ । ତେବେ ସୁନୀଲ କାନାଗୋଲୁ ଏହା ପୂର୍ବରୁ ସେ ଡିଏମକେ, ଏଆଇଏଡିଏମକେ ସହ ବିଜେପି ପାଇଁ ମଧ୍ୟ କାମ କରିସାରିଛନ୍ତି । ୨୦୧୭ ମସିହା ୟୁପି ବିଧାନସଭା ନିର୍ବାଚନ ସମୟରେ ସେ ବିଜେପି ପାଇଁ କାମ କରିଥିଲେ । ଏହାପରେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ସେ ଡିଏମକେ ଏବଂ ୨୦୨୧ ବିଧାନସଭା ନିର୍ବାଚନ ବେଳେ ଏଆଇଏଡିଏମକେ ପାଇଁ କାମ କରିଥିଲେ । ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅନୁପସ୍ଥିତିରେ ସେ ଏଆଇଏଡିଏମକେ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିଥିଲେ, ଆଉ ଦଳ ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଥିଲା । ଖାସ୍ କଥା ହେଉଛି, ଚର୍ଚ୍ଚିତ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ମଧ୍ୟ କାମ କରିସାରିଛନ୍ତି ସୁନୀଲ । ୨୦୧୪ ପୂର୍ବରୁ ସେ ପ୍ରଶାନ୍ତ କିଶୋରଙ୍କ ସହ କାମ କରିଥିଲେ । ବିଜେପି ପାଇଁ କାମ କରିବା ସହିତ ୟୁପି, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକରେ ସେ ନିର୍ବାଚନୀ ଅଭିଯାନରେ ସାମିଲ ହୋଇଥିଲେ । ଏହି ସବୁ ନିର୍ବାଚନରେ ବିଜେପି ଦମଦାର ବିଜୟ ହାସଲ କରିଥିଲା ।କର୍ଣ୍ଣାଟକର ମୂଳ ନିବାସୀ ସୁନୀଲ କାନୁଗୋଲୁ ନିଜ ପରିବାର ସହ ଚେନ୍ନାଇରେ ରୁହନ୍ତି । ତେବେ ଏକ ସାଧାରଣ ପରିବାରରୁ ଆସି ସେ କଂଗ୍ରେସକୁ ଆଜି ଭେଟି ଦେଇଛନ୍ତି ବଡ ବିଜୟ । ଏହା ପୂର୍ବରୁ ସେ ଭାରତ ଯୋଡ ଯାତ୍ରାର ମଧ୍ୟ ରଣନୀତିକାର ରହିଥିଲେ । କନ୍ୟାକୁମାରୀରୁ କାଶ୍ମୀର ପର‌୍ୟ୍ୟନ୍ତ ହୋଇଥିବା ଏହି ଯାତ୍ରାର ସୁନୀଲ ରଣନୀତି ପ୍ରସ୍ତୁତ କରିବା ସହିତ ଏହାକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସୁନୀଲ କାନୁଗୋଲୁ ଆଗାମୀ ଦିନରେ ମଧ୍ୟ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି ।

You May Also Like

More From Author

+ There are no comments

Add yours