ଗତକାଲି ପୁରୀ ସମୁଦ୍ରରେ ବୁଡ଼ି ଯାଇ ପ୍ରାଣ ହରାଇଥିବା ଦୁଇ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ ଶରୀର ବ୍ୟବଚ୍ଛେଦ ପରେ ପଶ୍ଚିମବଙ୍ଗ ପଠାଯାଇଛି। ସମୁଦ୍ରରେ ସ୍ନାନ ବେଳେ ପଶ୍ଚିମବଙ୍ଗ ହାୱଡ଼ା ଜିଲ୍ଲା ସିପୁର, ଖୁରୁଟ ଆଚାର୍ଯ୍ୟ ପଡ଼ାର ଅଧିବାସୀ ୫୧ ବର୍ଷୀୟ ରଞ୍ଜନ ଦାସ ଓ ୧୫ ବର୍ଷୀୟ ତାଙ୍କ ପୁତ୍ର ରେସୋଭ ଦାସ ବୁଡି ଯାଇ ମୃତ୍ୟୁ ବରଣ କରିଥିଲେ। ତେବେ ଅନ୍ୟ ଦୁଇ ଜଣ ମୃତକ ରଞ୍ଜନଙ୍କ ପତ୍ନୀ ମୋନାଲିଶା ଦାସ ଓ ରଞ୍ଜନଙ୍କ ଭଣଜା ଶାୟନ ମାଇତି ଉଦ୍ଧାର ହୋଇଥିଲେ। ମୁଖ୍ୟ ଚିକିତ୍ସାଳୟରେ ଉଭୟ ମୃତକଙ୍କ ପୋଷ୍ଟମର୍ଟମ ପରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ରେଡ଼କ୍ରସ ସହାୟତାରେ ସେମାନଙ୍କ ମୃତ ଦେହକୁ ସେମାନଙ୍କ ନିବାସ ସ୍ଥାନକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପ୍ରେରଣ କରାଯାଇଥିଲା। ଉପଜିଲ୍ଲାପାଳ ଭବତାରଣ ସାହୁ ଓ ପୁରୀ ତହସିଲଦାର କ୍ଷୀରୋଦ କୁମାର ବେହେରା ସମସ୍ତ ବ୍ୟବସ୍ଥା ତଦାରଖ କରିଥିଲେ।