ଶ୍ରୀମନ୍ଦିରରେ ଶ୍ରୀ ନୃସିଂହ ଜନ୍ମ ନୀତି ପାଳିତ

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ଆବିର୍ଭୂତ ହୋଇ ଯୁଗେ ଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରିଠାରେ ଲୀନ ହୋଇଥାନ୍ତି ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି। ସେହି ସ୍ମୃତିରେ ପ୍ରତିବର୍ଷ ଶୁକ୍ଳ ଚତୁର୍ଦ୍ଦଶୀରେ ବଡ଼ଦେଉଳରେ ଶ୍ରୀନୃସିଂହଙ୍କ ଜନ୍ମ ପାଳିତ ହେଉଛି। ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତଥା ନୃସିଂହ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ସମ୍ପନ୍ନ ହୋଇଥାଏ। ଯାତ ଭୋଗ ସରିବା ପରେ ଠାକୁର ଚନ୍ଦନକୁ ଯାଇଥାନ୍ତି। ଏହାପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢିଥାଏ। ଚନ୍ଦନରୁ ଠାକୁର ଫେରିବା ପରେ ହୋମ ପାଳିଆପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଘଣ୍ଟ, ଛତା, କାହାଳୀ ସହ ସିଂହଦ୍ୱାର ଓ ଦୋଳମଣ୍ଡପ ସାହି ଦେଇ ଚକ୍ରନାରାୟରଣ ମନ୍ଦିରକୁ ଯାଆନ୍ତି। ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ଚକ୍ରନାରାୟଣଙ୍କୁ ଲାଗି କରାଯାଇଥାଏ। ମହାପ୍ରଭୁଙ୍କ ମଇଲମ ହୋଇ ଆଳତି ବଢେ। ପରେ ତିନିବାଡ଼ରେ ଠାକୁରଙ୍କ ପଞ୍ଚାମୃତ ମହାସ୍ନାନ ହୁଏ । ସର୍ବାଙ୍ଗ ବଢିବା ପରେ ଠାକୁର ନୂଆ ଲୁଗା ଲାଗିହୋଇ ୬ମୂର୍ତ୍ତି ଅଳଙ୍କାର ଲାଗି ହୋଇଥାଏ। ପାଣି ପଡ଼ି ସନ୍ଧ୍ୟା ଧୂପ ନୀତି ବଢିବା ପରେ ମହାଜନ ସେବକ ମୁକ୍ତିମଣ୍ଡପ ଉପରକୁ ନୃସିଂହଙ୍କୁ ଖଟୁଲିରେ ବିଜେ କରାଇଥାନ୍ତି। ନୃସିଂହ ମନ୍ଦିର ଭିତରେ ପତି ମହାପାତ୍ର ଏବଂ ମଣ୍ଡପ ଉପରେ ବିଜେ ନୃସିଂହଙ୍କ ପାଖରେ ପଣ୍ଡା ମହାସ୍ନାନ ପୂଜା କରିଥାନ୍ତି। ଏହାପରେ ଉଭୟଙ୍କ ପାଖରେ ଶୀତଳ ଭୋଗ ପଞ୍ଚ ଉପଚାରରେ ପୂଜା ବଢି ବନ୍ଦାପନା ହୋଇଥାଏ। ମହାଜନେ ନୃସିଂହଙ୍କୁ ହାତରେ ବିଜେ କରାଇ ଆଣି ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରାଇଥାନ୍ତି । ବିମାନବଡ଼ୁମାନେ ନୃସିଂହଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭକୁ ବିଜେ କରାନ୍ତି । ସେଠାରେ ଭୋଗ ବନ୍ଦାପନା ସରିବା ପରେ ଠାକୁର ବାହୁଡ଼ା ବିଜେ କରିଥାନ୍ତି। ନୃସିଂହ ବିଜେ କରିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଲଟ ଲାଗିହୋଇ ଅନ୍ୟାନ୍ୟ ନୀତି ବଢିଥାଏ।

You May Also Like

More From Author

+ There are no comments

Add yours