ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଭାବେ ୱିଙ୍ଗ୍ କମାଣ୍ଡର୍ ଦୀପିକା ମିଶ୍ରାଙ୍କୁ ବାୟୁସେନା ପଦକ (ଶୌର୍ଯ୍ୟ) ପ୍ରଦାନ କରାଯାଇଛି।ଭାରତୀୟ ବାୟୁସେନାର ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ, ମଧ୍ୟପ୍ରଦେଶରେ ବନ୍ୟା ରିଲିଫ୍ ଅଭିଯାନ ସମୟରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ରାଜସ୍ଥାନବାସିନୀ ହେଲିକପ୍ଟର୍ ପାଇଲଟ୍ ୱିଙ୍ଗ୍ କମାଣ୍ଡର୍ ମିଶ୍ରାଙ୍କୁ ‘ବାୟୁସେନା ପଦକ’ (ଶୌର୍ଯ୍ୟ) ପ୍ରଦାନ କରାଯାଇଛି।ଏହି ଅଭିଯାନ ସମୟରେ ସେ ମହିଳା ଓ ପିଲାଙ୍କ ସମେତ ୪୭ଜଣଙ୍କ ଜୀବନ ରକ୍ଷା କରିଥିଲେ।ନୂଆଦିଲ୍ଲୀସ୍ଥିତ ସୁବ୍ରତ ପାର୍କସ୍ଥିତ ବାୟୁସେନା ଅଡିଟରିୟମ୍ରେ ଆୟୋଜିତ ‘ଅଧିଷ୍ଠାପନ ସମାରୋହ’ରେ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ସାଲ୍ ଭି. ଆର୍. ଚୌଧୁରୀ କେତେକ ଅଧିକାରୀ ଓ ବାୟୁ ଯୋଦ୍ଧାଙ୍କୁ ‘ଯୁଦ୍ଧ ସେବା ପଦକ’ ଏବଂ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରିଥିଲେ। ୱିଙ୍ଗ୍ କମାଣ୍ଡର୍ ମିଶ୍ରାଙ୍କ ବିଷୟରେ ଅବତାରଣା କରିବାକୁ ଯାଇ ମୁଖପାତ୍ରଜଣକ କହିଛନ୍ତି, ଭାରତୀୟ ବାୟୁସେନା ଇତିହାସରେ ‘ଶୌର୍ଯ୍ୟ ପୁରସ୍କାର’ ପାଇବାରେ ସେ ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ।