ଶବ୍ଦ ଓଡିଶା ବ୍ୟୁରୋ: ମିକ୍ସଚର ବେପାର ଦେଖାଇ ଭିତରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏଭଳି ଏକ ଗାଡ଼ିକୁ ପୁରୁଣାକଟକ ଥାନା ପୁଲିସ ବୁଧବାର ରାତିରେ ଧରିଛି। ମିକ୍ସଚର ବସ୍ତା ହଟାଇ ଭିତରୁ ୯୦ କିଲୋ ଗଞ୍ଜେଇ ଜବତ କରିଛି।
ସୂଚନା ଅନୁସାରେ ଏକ ମିକ୍ସଚର ବୋଝଇ ବଲେରୋ ପିକ୍ଅପ୍ ଭ୍ୟାନରେ କନ୍ଧମାଳ ଜିଲ୍ଲା ଫରିଙ୍ଗିଆ ଅଞ୍ଚଳରୁ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ ସୂଚନା ପାଇଥିଲା। ଗାଡ଼ିଟି ୧୫୭ ନମ୍ବର ଜାତୀୟ ରାଜପଥରେ ଆସି ଚାରିଛକରୁ ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଯାଉଥିଲା।
ପୁରୁଣାକଟକ ପୁଲିସ ଗାଡ଼ିକୁ ପିଛା କରି ମାଧପୁରରେ ଅଟକାଇଥିଲା। ତଲାସ କରି ଗଞ୍ଜେଇ ଜବତ କରିଛି। ଚୋରା ଚାଲାଣ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି। ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି।
